ବିଜ୍ଞାନ ବଳରେ ମଣିଷ ଆଜି
        ବିଶ୍ଵକୁ ପାରିଛି ଜିତି
ମହାଶୂନ୍ୟର ମହାକାଶରେ
        ନିତ୍ଯ ତାହାର ଗତି ।
ଦୂରତା ସମୟ ହାର ମାନିଛି
     ମଣିଷ ପାଖରେ ଆଜି
ବିଶ୍ବ ପରିବାରେ ଅଂଶ ପାଲଟିଛି
     ସଂପର୍କ ପାଇଛି ଖୋଜି ।
ସମସ୍ଯା ବହୁଳ ଶୀତଳଯୁଦ୍ଧରେ
    ଜୀବନକୁ ଦିଏ ବଳି
ପ୍ରଗତିର ପ୍ରତିବନ୍ଧକ ସାଜିଛି
    ନିଇତି ମରୁଛି ଜଳି  ।
ଜନସଂଖ୍ୟା ଆଜି ହୁ ହୁ ବଢେ
     ବିଶ୍ବେ ଖେଳାଇ ଭିତି
ପ୍ରଥମରେ ଚୀନ୍ ଦ୍ବିତୀୟ ଭାରତ
     ରହିଛି ଏହାର ସ୍ଥିତି ।
ଭାରତ ଟପିଛି ଜନସଂଖ୍ୟାରେ
ଶହେ କୋଡିଏ କୋଟିରୁ ବେଶି
ଦାୟିତ୍ଵ ଆଜି ପ୍ରତି ଜନତାର
କେମିତି ପାରିବେ ନାଶି ।
ସମଗ୍ର ୟୁରୋପେ ଜନସଂଖ୍ୟା ଯେତେ
   ଭାରତ ତାଠାରୁ ଆଗେ
ଆଉ ଦଶବର୍ଷେ ଚିନ୍ କୁ ଟପିବ
    ବଢିଯିବ ନିଶ୍ଚେ ବେଗେ ।
ଜୁଲାଇ ଏଗାର ପ୍ରତି ବରଷରେ
  ବିଶ୍ବ ଜନସଂଖ୍ୟା ଦିବସ
ସଚେତନତାର ମନ୍ତ୍ର ସେ ଦେବ
ପାଳନ ଏହାର ଉଦ୍ଦେଶ୍ୟ ।
ପରିବାର ନିୟୋଜନ ଉପଲବ୍ଧ
      ଅର୍ଥନୈତିକ ବିକାଶ
ସଶକ୍ତିକରଣ ହେବ ନାରୀ ଜାତି
     ନ ହେଲେ ବିଶ୍ୱ ବିନାଶ ।
ଲିଙ୍ଗଗତ ଭେଦଭାବ ଏଡାଇବା
      ଜନ୍ମ ବ୍ଯବଧାନ ନିଶ୍ଚିତ
ସ୍ବାସ୍ଥ୍ୟ ସୁବିଧାକୁ ପ୍ରେତ୍ସାହନ ଦେଇ
     ମା ପ୍ରସବ କରିବା ଉନ୍ନତ ।
ଅଳ୍ପ ବୟସରୁ ବିବାହ ନକରି
        ସାକ୍ଷରତା ବଢାଇବା
ଆତ୍ମ ସଂଯମତା ସତର୍କତା ବଳେ
     ଜନ ବିସ୍ଫୋରଣ ରୋକିବା।
ଅବାଞ୍ଛିତ ଗର୍ଭ ଧାରଣ ଏଡିବା
      ଶିଶୁ ମୃତ୍ୟୁ ହାର କମାଇବା
ସୁସ୍ଥ ପରିବେଶ ରକ୍ଷା କରିବା
           ବେକାରୀକୁ ହଟାଇବା।
ମାତୃ ସ୍ଵାସ୍ଥ୍ଯର ଅମୂଲ୍ୟ ସନ୍ଦେଶ
           ବିଶ୍ବକୁ ଜଣେଇବା
ମାନବିକ ଅଧିକାର କ୍ଷୁର୍ଣ୍ଣ ହେଲେ
     ଜୀବନକି ଆମେ ଜିଇଁବା ।
ଏ ସବୁକୁ ନେଇ ସଚେତନ ହେବା
         ଜନସଂଖ୍ୟା ଦିବସରେ
ସ୍ବାସ୍ଥ୍ୟରକ୍ଷା କରି ଦାରିଦ୍ର୍ୟ ହଟାଇ
ଅଂଶୀଦାର ହେବା ଆମ ଦେଶ ଆଉ
        ବିଶ୍ବ ଉନ୍ନତିରେ ।।
                  
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 25, 2019