(ରାମକେରୀ ଛନ୍ଦ )
ବୀଣାପାଣି କୃପା ଆଶିଷେ' ଚାଲୁ' ଲେଖନୀ ମୁନ'
ମଧୂର ମୂର୍ଚ୍ଛନା ସଙ୍ଗୀତ' ବୋଲୁ' ବିରହି ସ୍ୱନ'..
ସମାଧିସ୍ଥ ଦିବ୍ୟ ଚେତନା' ନେଇ' ଗର୍ଭ ଗହ୍ବରେ'
ପ୍ରସ୍ଫୁଟିତ କର ବାରତା' ବିଶ୍ୱ' ଜନହିତରେ'..
ମାନସ କଷଟି ପଥରେ' ଘଷି' ସୁପ୍ତ ଭାବନା'
ପରିବ୍ୟାପ୍ତ କର ଜଗତେ' ଦେଇ' ମଧୂ ବାସନା'..
ଝଙ୍କୃତ ଜୀବନ ଦର୍ଶନ' ହସୁ' ଶବଦ ବାଣେ'
କବଳିତ ମାୟା ଜଞ୍ଜାଳ' ଖେଳୁ' ପଂକ୍ତି ତୋରଣେ'..
ପ୍ରଜାପତି ପ୍ରେମ କାହାଣୀ' ଲେଖୁ' ଶ୍ୱେତ ପତରେ'
ଇନ୍ଦ୍ରଧନୁ ମିଛ ସମ୍ପର୍କ' ଭାଙ୍ଗୁ' ସୂର୍ଯ୍ୟ ମନ୍ଦିରେ'..
ବେଳାଭୂମି ବାଲି ତୋଳୁଛି' କେତେ' ବାଇଆ ବସା'
ସାରୁ ପତର ରେ ଆୟୁଷ' ଆଙ୍କେ' ଆଶା ଭରଷା'..
ବଉଳ ପାଟ ର ଯୌବନ' ଝରେ' ମୃଦୁ ମଳୟେ'
ଗାଆଁ ଦାଣ୍ଡ ସଞ୍ଜ ଗୋ-ଧୂଳି' ଡାକେ' ମାଟି ନିଳୟେ'..
ମିତ୍ରୋଦୟ ସୃଜେ ଲେଖନୀ' ଟାଣି' ରେଶମୀ ଡୋରୀ'
ଶଶାଙ୍କ ପିରତି ପିୟୁଷ' ପିଏ' ରାତ୍ରେ ଚକୋରୀ'..
କଲ୍ଲୋଳ ନାଦିନୀ ନିର୍ଝର' ପିନ୍ଧେ' ପାଦେ ପଇରି'
ଶୁଷ୍କ ଗୁଳ୍ମ ଲତା ପଲ୍ଲବୀ' ବୋଲେ' ଶାନ୍ତି ଶାୟରୀ'..
ନବାନ୍ଧେ ବନ୍ଧନ ଶିକୁଳି' ମୁକ୍ତ' ଲେଖନୀ ସ୍ୱର'
ଚାପ ରାଜଶକ୍ତି ରୋଦନ' ଅବା' ପ୍ରିତି କାହାର'..
ସମାଜ ତର୍ପଣ ଦର୍ପଣେ' ଆଙ୍କେ' ଅତି ଯତନେ'
ଐତିହ୍ୟ ସଂସ୍କୃତି କିରତି' ଗାଏ' ମେଘ ବାହନେ'..
ମହାସିଦ୍ଧି ରଚେ ଶବଦେ' ଟାଣି' ଧନୁ ଟଙ୍କାର'
ସାହିତ୍ୟ ଦର୍ଶନ ବିଞ୍ଚିଣ' ବୋଲେ' ଲେଖନୀ ବୀର'..
ଐଶ୍ବର୍ଯ୍ଯ ମଣ୍ଡିତ କଲମ' ମୁନ' ସତ୍ୟ ଉଚାରେ'
ପର୍ଯ୍ୟାସିତ କବି ବିଶେଷ' ପଥେ' ମଙ୍ଗ ସମ୍ଭାଳେ..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
