
ସ୍ନେହ ପଡଇ ପ୍ରଥମେ
ସୌଭାଗ୍ୟଶାଳିନୀ ସେ ବନ ଲଳନା
ଦେଖୁଥାଇ ସେ ଆଶ୍ରମେ ||
ମହାଋଷି ଅତ୍ରି ପତ୍ନୀ ଅନସୂୟା
ସଙ୍ଗତରେ କରି ବାସ
ଜାତୀୟ ମମତା ତା ସଙ୍ଗେ ସମତା
ବିସ୍ତାରନ୍ତି ଯଶ-ବାସ ||
ଅନସୂୟା ନାମ୍ନୀ ସେ ବରବର୍ଣ୍ଣିନୀ
କମଳ ଲପନେ ଚାହିଁ
ଉପମା ଦେବାକୁ ମୁଖ ମଣ୍ଡଳ କୁ
ମୋହର ସାମର୍ଥ ନାହିଁ ||
ଚାହିଁ ସେ ସୁନ୍ଦରୀ ସେ ବନ ସୁନ୍ଦରୀ
ସୁଚାରୁ କୁସୁମ କରେ
ପଶୁପକ୍ଷୀ ନେତ୍ରେ ସଘନେ ନିରେଖି
ସସ୍ନେହେ ସ୍ୱାଗତ କରେ ||
କେବଳ ଉତ୍ତମ ସ୍ୱଭାବ ସକଳ
ସଉନ୍ଦର୍ଯ୍ୟ ମାନବର
ମୁଖ ଆକର୍ଷଣ ନୟନେ ସୁନ୍ଦର
ଚିତ୍ତ କୁ ସବୁ ବିକାର ||
ମାତୃ ହୃଦୟ ର ବିମଳ ଚରିତ୍ରେ
ଅନସୂୟା ବିଭୂଷିତ
ଚରାଚର ବିଶ୍ୱ- ବିସୀ ଶିଶୁ ଭଳି
ଯାହାଙ୍କ ହୃଦେ ସେବିତ ||
ଏକଦା କେତେକ ମହର୍ଷି ତ୍ରିଦେବ
ଦ୍ୱନ୍ଦେ କଲେ ଏକ ପ୍ରଶ୍ନ
ସତେ କି ଅତ୍ରିଙ୍କ ଜାୟା ଅନସୂୟା
ମାତୃ ହୃଦୟା ସମାନ ??
ତ୍ରିଦେବ ଜାଣନ୍ତି ସତ ଏ ବଚନ
ଅନସୂୟା ମା' ସମାନ
ତଥାପି ଋଷିଙ୍କ ଜିଜ୍ଞାସା ସକାଶେ
ଗଲେ ସନ୍ତୋଷ ବିଧାନ ||
ତିନି ଦେବ ଛଳ- ବେଶରେ ଯୁବକ
ରୂପେ ହେଲେ ଉପଗତ
ଅତ୍ରିଙ୍କ ଆଶ୍ରମ ବାହାର ପ୍ରାଙ୍ଗଣେ
ଯାଇ ହେଲେ ଉପସ୍ଥିତ ||
ଦେଖିଲେ ଅତିଥି ଆସିଛନ୍ତି ହେଲେ
ଅନସୂୟା ହେଲେ ପ୍ରୀତ
ପାଛୋଟି ନେଇଣ ଅତିଥି ସତ୍କାର
ବିଧାନ କଲେ ଘଟିତ ||
ବୋଇଲେ କି ସେବା କରିବା ତୁମ୍ଭର
ଯହିଁ ହେବେ ସୁପ୍ରସନ୍ନ
ଯଦିବା ସେବାରେ ହେବ ମୋର ଭ୍ରମ
କରିବ ତ୍ରୁଟି ମାର୍ଜନ ||
ବେଲନ୍ତି ତ୍ରିଦେବ ଲୋଡା ନାହିଁ କିଛି
ବିଶ୍ରାମ କୁ ଇଚ୍ଛାମନ
ମାତ୍ର ତୁମ୍ଭ କୋଳେ କରିବୁ ବିଶ୍ରାମ
ଆନେ ନାହିଁ ଆମ୍ଭ ମନ ||
ଅତିଥିଙ୍କ ବାଣୀ ଅନସୂୟା ଶୁଣି
ହେଲେ ସ୍ତବଧ ଚକିତ
ଚିନ୍ତିଲେ ସେ ପୁଣି ଅତିଥିଙ୍କ ସେବା
ନ କଲେ ହେବି ଘୃଣିତ ||
ଅତିଥି ସତ୍କାର ପରମ କର୍ତ୍ତବ୍ୟ
ନରେ ନର ସୁ-ସେବିତ
ଅତିଥି ସାକ୍ଷାତ ସ୍ୱୟଂ ନାରାୟଣ
ମାନବ ଦେହେ ପୂଜିତ ||
ମିତ୍ର ଅବା ଅରି ଅବା ସାଧାରଣ
ଅଭ୍ୟାଗତ ହେଲେ ଆସି
ତେଜି ବୈରୀ ଭାବ ବୋଲି ବିଷ୍ଣୁଦେବ
ସେବିବ ତୋଷ ପ୍ରକାଶି ||
ମାତ୍ର ଯେ ଯୁବତୀ କେମନ୍ତେ ପାରିବ
ଅଭ୍ୟାଗତ ସେବା ଛଳେ
ତିନି ଯୁବକଙ୍କୁ ଆଦରି କେମନ୍ତେ
ତୋଷିବ ବସାଇ କୋଳେ ||
ମାତ୍ର ବରାଙ୍ଗନା ନୋହି ବିଚଳିତ
ସ୍ନେହ ସବୁ କରି ଠୁଳ
ଭୂମିପରେ ବସି ନିଜ ଅନୁଭାବେ
ପୁତ୍ର ସ୍ନେହେ ହେଲେ ଭୋଳ ||
ବୋଇଲେ ସମ୍ବୋଧି ଆସ,ଶିଶୁ ଆସ
ଆସି ମୋର କୋଳେ ବସ
ମାତା ମମତାର ପୀୟୂଷ କୁ ଦେଇ
ପିଆଇବି ବକ୍ଷ ରସ ||
ପଲକ ମାତ୍ରକେ ଯୁବକ ତିନିହେଁ
ପାଲଟିଲେ ସ୍ତନନ୍ଧୟ
କୋଳେ କୋଳ କରି ଅତି ସ୍ନେହଭରେ
ପାନ କରାଇଲେ ପୟ ||
ଏକେ ତ ଶିଶୁ ସେ ନିଧନ ସଙ୍ଖାଳି
ମାତା ହୃଦ ରତ୍ନ ହାରା
ମାତୃ ଜୀବନ ର ନୟନ ପ୍ରତିମା
ବାତ୍ସଲ୍ୟ ମମତା କାରା ||
ଅନସୂୟାଙ୍କର ଅଦ୍ଭୁତ ଶକତି
ଦେଖି ବ୍ରହ୍ମା,ବିଷ୍ଣୁ,ଶିବ
ହୋଇ ସୁମୁଗଧ କଲ୍ୟାଣୀଙ୍କୁ ବର
ଯାଚିଲେ ସେ ତିନି ଦେବ ||
ବେଇଲେ ହେ ଦେବ! ହୋଇ ସୁପ୍ରସନ୍ନ
ଯଦି ଯାଚୁଅଛ ବର
କରୁଛି ମାଗୁଣି ମୋର ମନ ଜାଣି
ହୁଅ ତୁମ୍ଭେ ମୋ କୁମର ||
ବିଷ୍ଣୁଙ୍କ ବିଭୂତି ଦତ୍ତାତ୍ରେୟ ରୂପେ
ବ୍ରହ୍ମାଙ୍କ ବିଭୂତି ସୋମ
ଶିବଙ୍କ ବିଭୂତି ଦୁର୍ବାସା ରୂପରେ
ତାଙ୍କଠି ହେଲେ ଜନମ ||
ମାତାଙ୍କ ବାତ୍ସଲ୍ୟ ମମତାର ଉତ୍ସ
ସୁଧା ସମ ପ୍ରୀତିକର
ଜୀବନରେ ବାଞ୍ଛା ମରଣରେ ସ୍ମୃତି
ପର ଜନ୍ମେ ତାଙ୍କପୁତ୍ର ||
ମୁହିଁ ମଧ୍ୟ ତାଙ୍କ ଅମୃତର ଶିଶୁ
ଜଗତେ ସ୍ମୃତି ବିଦିତା
ମୋ ମାତା ତ୍ରିବେଣୀ ମମତା ସଂଶିତ
ଇହ ଲୋକେ ମୋର ମାତା ||
ହେମନ୍ତ କୁମାର ବରାଇ
ରୁଷୁଡା, ବରଗଡ
8917518774
