ଅମାନିଆ କପୋତ ମୁଁ
ଅମାନିଆ କପୋତ
ମନଇଛା ବୁଲିବାକୁ
କରିଛି ମୁଁ ଶପଥ।।୧।।
ନାଚିଗାଇ ଖେଳିବାକୁ
ଆସିଚି ଏ ଜଗତ
ସେଥିପାଇଁ ମା' ମୋର
କରେ ମୋତେ ଶକତ।।୨।।
ମନୋବଳ ବଢାଏ ମା
କୁହେ ରୁହ ନିର୍ଭୟ
ଯେତେ ବାଧା ଆସିଲେବି
କରିବୁନି ତୁ ଭୟ।।୩।।
ମା' କଥାଟିରେ ଥାଏ
ସଦା ଲୟ ମୋହର
ମାତୃଭକ୍ତ ହୋଇକରି
ସୁଖୀ ମୋର ସଂସାର।।୪।।
ନୀଡ଼ ରଚିଅଛି ମା'
କରି କେଡେ ଯତନ
ସେଇ ନୀଡେ ରହି ମୁହିଁ
ଦେଖେ କେତେ ସପନ।।୫।।
ଦିନ କେଇଟାରେ ଯିବ
ପିଲାଦିନ ମୋହର
ମା' କୋଳ ଛାଡ଼ି ମୁହିଁ
ହୋଇଯିବି କାହାର।।୬।।
ଯଉବନେ ପାଦ ଦେଇ
ଦେଖେ ନୂଆ ସପନ
ତରୁଣୀ କପୋତୀ ବାଣେ
ହେଲା ଚୋରି ମୋ ମନ।।୭।।
ନୂଆ ନୂଆ ପ୍ରେମକରି
ଗାଉଥିଲୁ ସଂଗୀତ
ପାଖାପାଖି ବସି ଦୁହେଁ
ଦେଖୁଥିଲୁ ଜଗତ।।୮।।
ଖୁସି ମୋର ରହିଲାନି
ଲାଗିଗଲା ନଜର
ବତାସିଆ ପବନଟା
କରିଦେଲା ଶୀକାର।।୯।।
"ଫଣୀ" ରୂପେ ନାମଧରି
ଉଜାଡିଲା ସଂସାର
ପ୍ରାଣ ମୋର ଗଲା ଉଡି
ହେଲି ନାହିଁ କାହାର।।୧୦।।
ବାହୁନି କାନ୍ଦନ୍ତି ମାଆ
ପ୍ରିୟତମା ମୋହର
କାଳରୂପୀ ଫଣୀ ମୋତେ
ପିଆଇଲା ଜହର।।୧୧।।
ଯୁଇର ଚିତାରେ ଜଳି
କରୁଛି ମୁଁ ଜୁହାର
ନ ଘଟୁ ଏ ଅଘଟଣ
ଜୀବନେ ତ କାହାର।।୧୨।।
ଛୋଟମୁହେଁ ଗୋଟେ ଅଳି
ଜଗତକୁ ମୋହର
ବିପତ୍ତିରୁ ରକ୍ଷାପାଇଁ
ହୁଅ ସଦା ତିଆର।।୧୩।।
କଥାଟିକୁ ମୋର ଟିକେ
କରିବ ହେ ବିଚାର
ଅମାନିଆ କପୋତ ମୁଁ
ଭାବିବନି ବେକାର।।୧୪।।
ସୁନୀଲ କୁମାର ବେହେରା (ଶିକ୍ଷକ)
ନୂଆଗାଁ/ ଟାଙ୍ଗୀ/ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୬।
