ସୀତାଙ୍କ ବିଳାପ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ରୋଦନ କରନ୍ତି ସୀତା ହା ରାମ ହା ରାମ
ବଳେ ଧରି ନେଉଅଛି ଲଙ୍କାର ରାବଣ
ହେ, ରାଜିବ ଲୋଚନ  ।।
କିମ୍ପାଇଁ ମାଗିଲି ମୁହିଁ ସୁବର୍ଣ୍ଣ ହରିଣ
କପଟ ରଚନା କରି ଦୁଷ୍ଟ ଦଶାନନ
ମୋତେ , କରୁଛି ହରଣ  ।।
ବନବାସ ବେଳେ ମାତା କହିଥିଲେ,ମନ-
ନବଳାଇବୁ ରେ, ବଧୂ ଅପୂର୍ବ ରତନ
ଦେଖି ,ନକରିବୁ ମନ  ।।
ନହେଜିଲି ବାରେ ମାତା ତୁମର ବଚନ
ଅପୂର୍ବ କୁରଙ୍ଗୀ ପାଇଁ ବଳାଇଲି ମନ
ଆଜି , ପଡ଼ିଲା କଷଣ  ।।
କାହିଁ ଅଛ କେତେଦୂରେ ମୋ ଜୀବ ଜୀବନ
ମନ୍ଦବିହି ଛନ୍ଦରଚି କଲା ହୀନିମାନ 
ଶୁଣ, ଗିରି,ଲତା,ବନ  ।।
କହିବ କାନ୍ତେ ଆସିଲେ ବିଶ୍ରବା ନନ୍ଦନ
ଯୋଗୀ ବେଶ ଛଳେ ମୋତେ କରିଲା ହରଣ
ଆହେ ଦେବର ଲକ୍ଷ୍ମଣ  ।।
ତୁମକଥା ନଶୁଣିଲି ବୁଦ୍ଧିହେଲା ବାମ
ପଶ୍ଚାତାପ କରି ନିଜ ଭାଗ୍ୟକୁ ନିନ୍ଦିଣ
ଦେବୀ , କରନ୍ତି ରୋଦନ  ।।
ବିକଳ କ୍ରନ୍ଦନ ଧ୍ଵନି ଆକୁଳ କାରୁଣ୍ୟ
ଶବଦେ ସ୍ଥିର ହୋଇଲା ଗଗନ,ପବନ
ଦେବୀ , କରନ୍ତି ରୋଦନ  ।।

Post a Comment

0Comments
Post a Comment (0)