
ଆବେଗରେ ଜୁଡୁବୁଡୁ
ଉର୍ଦ୍ଧ୍ୱମୁଖୀ ଚାହାଁଣି
କେତେ ପ୍ରଶ୍ନବାଚୀ
ଅନନ୍ତ ଆକାଂକ୍ଷା
ବର୍ଷାର ବିନ୍ଦୁ ସବୁ ବିଲୀନ
ଅନନ୍ତ ସାଗରର
ଉନ୍ମାଦ ଢେଉ ଭିତରେ
.....ନକ୍ଷତ୍ରଙ୍କ ଅହରହ ଗତି
ଅସୁମାରି ଆକାଶର ଦେହେ
ମାତ୍ର କାହିଁ ସେ ବହୁ ଆକାଂକ୍ଷିତ
ସ୍ୱାତୀ ନକ୍ଷତ୍ରର ଚଳନ ?
ସ୍ୱାତୀ ନକ୍ଷତ୍ରରେ ବିନ୍ଦୁଏ ବର୍ଷା
ତା'ର ଶୂନ୍ୟଗର୍ଭ ହେବ ରତ୍ନଗର୍ଭା
ଦୁର୍ଲଭ ମୁକ୍ତାର ସନ୍ତାନକୁ ଧରି
ସେ ହେବ ବନ୍ଧାତ୍ୱରୁ ମୂକ୍ତ
ମେଣ୍ଟିଯିବ ଆଶା ଅସୁମାରି
ଆଃ....ସ୍ୱାତୀର ବିନ୍ଦୁଏ ବର୍ଷା
ତା'ର ଅନନ୍ତ ପ୍ରତୀକ୍ଷାର ଅନ୍ତ
ମୁକ୍ତା ବିନା ତା'ର ସ୍ୱପ୍ନ ଅପୂର୍ଣ
ଜୀବନ ନିରର୍ଥକ
ମୁକ୍ତା ବିନା ଶାମୁକା
ଅର୍ଥହୀନ ବଞ୍ଚିବାର ମୋହ ||
ପ୍ରମୋଦ କୁମାର ପଣ୍ଡା, ବାଘମାରୀ
