ଓଡ଼ିଆ ନବ ବର୍ଷ - ସସ୍ମିତା ସାହୁ

0
ବସନ୍ତର ଶେଷେ ଗ୍ରୀଷ୍ମର ପ୍ରବେଶେ
ବିଷୁବ ସଂକ୍ରାନ୍ତି ଦିନ ,
ପ୍ରଥମ ଦିନଟି ବୈଶାଖ ମାସର
ନୂଆ ବରଷଟି ଜାଣ II

ଏଇ ଦିନ ଅଟେ ଓଡ଼ିଆ ମାନଙ୍କ
ପାଞ୍ଜିର ପ୍ରଥମ ଦିନ ,
ସଭିଏଁ ମାନନ୍ତି ହର୍ଷ ଉଲ୍ଲାସରେ
ଆନନ୍ଦେ ନାଚଇ ମନ II

କେ କୁହଇ ତାକୁ ପଣା ସଙ୍କରାନ୍ତି
କିଏ କହେ ଯେ ଚଡକ,
ଝାମୁ ଯାତ୍ରା ପୁଣି ସମାପ୍ତ ହୁଅଇ
ଜଗତ ଜନନୀ ପାଖ II

ଘଣ୍ଟା ପାଟୁଆଙ୍କ ନାଚ ସହ ପୁଣି
ଦଣ୍ଡ ନାଚ ହୁଏ ଶେଷ ,
ମେରୁ ପର୍ବ ବୋଲି ଦକ୍ଷିଣେ କୁହନ୍ତି
ପାଳନ୍ତି ହୋଇ ହରଷ II

ଛତୁଆ ସାଙ୍ଗକୁ ବେଲ ପଣା ଭୋଗ
ପୁଜଇ ଯେ ଓଡ଼ିଆଣୀ ,
ଚଉରା ଉପରେ ବସନ୍ତରା ଠେକି
ଥିରି ଥିରି ଦିଏ ପାଣି II

ମାଠିଆ ଅଟଇ ବସୁନ୍ଧରା ମାଆ
ପାଣି ଅଟଇ ବରଷା,
ଧରିତ୍ରୀ ପାଇଁକି ଅଟଇ ଜରୁରୀ
ପାଣି ତ ଏକା ଭରସା II

ହଜମ ହୁଅଇ ଗରିଷ୍ଠ ଖାଦ୍ୟ
ବୋଲି ଖିଆ ଯାଏ ଚୁନା ,
ଦେହୁ ତାପ ଶକ୍ତି କମେଇବା ପାଇଁ
ପିଉ ନାନା ଫଳ ପଣା II

ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା
ପାଇବା ପାଇଁ କି ଆମେ,
ବୀର ହନୁମାମ ଜୟନ୍ତୀ ପାଳନ୍ତି
ଏହି ଦିନ ମହି ଧାମେ II

ଆମ ନୂଆ ବର୍ଷ ଆଣି ଦେଉ ହର୍ଷ
ସଭିଙ୍କ ମନରେ ଭରି,
ନୂଆ ସ୍ବପ୍ନ ନୂଆ ଆଶା ପୂର୍ଣ ହେଉ
ବାନ୍ଧି ମମତାର ଡୋରି II

( ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର)

Post a Comment

0Comments
Post a Comment (0)