ଲୀଳାମୟ ପ୍ରଭୁ ପୁରୁଷୋତ୍ତମ - ନିବେଦିତା ମହାପାତ୍ର

0


ଅନ୍ତଃସାର ଶୂନ୍ୟ ବେଦରେ ଓଁକାର
ତୁମେଯେ ଅଟ ବିଶ୍ବପ୍ରେମର ଝଙ୍କାର
ନୀଳସିନ୍ଧୁ କୂଳେ ଗଢି ଶ୍ରୀନୀଳକନ୍ଦର
ବିରାଜିତ ହୋଇଅଛ ଜଗତ ଠାକୁର।୧
ଲୀଳାମୟ ପ୍ରଭୁ ଲୀଳାର ଆଧାର
ପ୍ରାଣର ଦେବତା ଓଡିଆ ଜାତିର
ଭାବ ବିନୋଦିଆ ହଟିଆ ଠାକୁର
ତୁମେଯେ ବନ୍ଧୁ କୋଟି ହୃଦୟର।୨
ପୂର୍ଣ୍ଣବ୍ରହ୍ମ ତୁମେ ବିଷ୍ଣୁ  ଅବତାର
ସର୍ବମୟ କର୍ତ୍ତା ଏବିଶ୍ବ ବ୍ରହ୍ମାଣ୍ତର
ତୁମେପରା ସର୍ବ ଶକ୍ତିର ଆଧାର
ବିପଦ ଆପଦେ ସାହା ସଭିଙ୍କର।୩
ଦୂରେଇବାକୁ ଭେଦ ଜାତି ଧର୍ମର
କରିବାକୁ ପୂରଣ କାମନା ଭକ୍ତର
ଉଦ୍ଧାରଣ ପାଇଁ ପତିତ ଜନଙ୍କର
କରିଅଛ ଆରମ୍ଭ ଘୋଷଯାତ୍ରାର।୪
ଭାଇ ଭଉଣୀଙ୍କୁ ସାଙ୍ଗରେ ଧର
କରିଥାଅ ଯାତ୍ରା ତୁମେ ନବଦିନର
ଶରଧାବାଲିରେ କରି ନାଦ ଘର୍ଘର
ରଥ ଗଡିଯାଏ ତୁମ ଗୁଣ୍ତିଚାଘର।୫
କୋଟିକୋଟି ଭକତ ହୋଇ ଆତୁର
ଆସିଥାନ୍ତି କରିବାକୁ ଦର୍ଶନ ତୁମର
ଭୁଲିଯାଇ ପଥଶ୍ରମ କଷ୍ଟକୁ ନିଜର
କରିଥାନ୍ତି କିର୍ତ୍ତନ ହୋଇ ଏକାକାର ।୬
ରକ୍ଷା କରିବାପାଇଁ ବଚନ ତୁମର
ନନ୍ଦିଘୋଷେ ଯାଅ ମାଉସୀ ଘର
ଖାଇ ପୋଡପିଠା ତାଙ୍କରି ହାତର
କରିଦିଅ ଦୂର ପ୍ରତିକ୍ଷା ବର୍ଷକର।୭
ପୋଛିବାକୁ ଦୁଃଖୀ ନୟନର ନୀର
ସବୁରି କଷଣ କରିଦେବାକୁ ଦୂର
ବାନ୍ଧିଦେବ ବୋଲି ଭାବର ଡୋର
ନେଇଅଛ ପରା କେତେ ଅବତାର।୮
କଳିଯୁଗେ ଚାଲିଛି ଦିବ୍ୟଲୀଳା ତୁମର
ତୁମେ ଏକା ପ୍ରତୀକ ମାନବତାବାଦର
କରିବାପାଇଁ ନାଶନ କଳି କଳୁଷର
ଧାରଣ କରିଛ ତୁମେ କଳ୍କୀଅବତାର।୯
ତୁମେ ମହାବାହୁ ଆଶାର ଆଧାର
ଅକିଞ୍ଚନକୁ କରୁଣା କର ବିଶ୍ବେଶ୍ବର
ସାଜିଲେ ସାରଥି ମୋଜୀବନ ରଥର
ହୋଇଯିବି ପାରି ମୁଁ ଏଭବସାଗର।୧୦

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ପୁରୀ

Post a Comment

0Comments
Post a Comment (0)