
ବିକୃତ ମାନ ର ସ୍ଵ କୃତି ରଚନେ
ସଂସ୍କୃତି ହଜିଛି ଆଜି.
ସଂସ୍କାର ଜ୍ଞାନର ସଂସାର କଥା କୁ
କିଏ"ବା ବୁଝିବ ହେଜି. ୦
ବିଭୂଙ୍କ ସ୍ଵାଗତେ ଯନ୍ତ୍ର ସ୍ଵରେ ମନ୍ତ୍ର
ତନ୍ତ୍ର ଭରା ରାଜନୀତି,
ସ୍ଵ ବୃତ୍ତି ଚିନ୍ତନେ ନାହିଁ କାରେ ମତି
ସ୍ଵ ଧର୍ମର ନାହିଁ ସ୍ଥିତି. ୧
ବିଜ୍ଞାନ ମଦରେ ସଦଜ୍ଞାନ ହାରି
ଅଜ୍ଞାନ ତରୀରେ ଭାଷି,
ଜ୍ଞାନ ଆହରଣେ ସ୍ଵ ମାତୃଭାଷାରୁ
ପଦଟିଏ ନାହିଁ ଘୋଷି. ୨
ମରମ ହଜିଛି ସରମ ଛାଡ଼ିକି
କରମର ବଡ଼ ପଣେ, ୩
ଟାଣ ଦେଖାଇବା ବଡ଼ ପଣ ଏଠି
ଧନ ଗରବର ଜ୍ଞାନେ. ୪
ଜଗତ ଜଞ୍ଜାଳ କିଏ ବୁଝୁଅଛି
ନିଜର ମଙ୍ଗଳ ଲୋଡ଼େ,
ଗୋଦର ଗୋଡ଼ରେ ଯେତେ କୋଡ଼ୁଥିବ
ପୁଣି ସେତେ ସିଏ ମାଡ଼େ. ୫
ଅନ୍ଧ ଦେଶେ ଯାଇ ଦର୍ପଣ ବିକିବା
ଶୋଭା ବୀବର୍ଦ୍ଧନ ଲାଗି,
ଚୋର ଲୁଟି ନିଏ ଗୋଇ ଗାତ ଖୋଳି
ପୋଲିସି ରହିଛି ଜଗି. ୬
ଶାଗ କାଟିସାରି ବାଳ କୁ ବାଛନ୍ତେ
କିବା ଲାଭ ଅଛି ତାରେ,
ପର ସନମାନ ପଛରେ ଗୋଡ଼େଇ
ଆପଣା ଇଜ୍ଜତ ହାରେ. ୭
ସଜ୍ଜିତ ରଙ୍ଗରେ ବିଜ୍ଞାନି ରଙ୍ଗ ରେ
ସଙ୍ଗ ରସ ରାହାସ ରେ,
ଅଙ୍ଗଭଙ୍ଗୀ ଫେଇ ରଙ୍ଗେ ଚାଟୁ କହି
ମାତୃଭାଷା ପରିହରେ. ୮
ବିଷ୍ଠା କୁ ଚକୁଡ଼ୁ ଗୋବର କୁ ଏଡ଼ୁ
ଗୋରସ ପାଇବୁ କାହୁଁ,
ସୁରାସାରେ ମଜ୍ଜି ସୁ ରସ କୁ ତେଜି
ସୁସ୍ଵାଦୁ ମନରେ ଚାହୁଁ. ୯
ଚର୍ମ ଢ଼ାଙ୍କୁଣି କୁ ବିଧାତା ଗଢ଼ିଛି
ବସ୍ତ୍ରର ମାନ୍ୟତା ବୋଲି,
ଉଦ୍ ବସ୍ତ୍ର ବିରାଜେ ଅର୍ଦ୍ଧ ବସ୍ତ୍ର ପିନ୍ଧି
ସଂସ୍କୃତି ଗଲାଣି ଚୁଲି. ୧୦
ପ୍ରେମ ଅଛି ଭାଇ ଜନ ଜଗତରେ
ସୃଷ୍ଟି ସରଜନା କାଳୁ,
ପ୍ରେମ କରେ ବୋଲି ଜଗତ ମୁହଁରେ
ତୁ କିମ୍ପା ଦେଖାଇ ବୁଲୁ. ୧୧
ଦୁର୍ଗତି ସାଜୁଛି ଦୁର୍ନୀତି ପ୍ରଖରେ
ଦୁର ନୀତି ଅନୁସରି,
ଦୁର୍ବିପାକେ କିଏ ଦୁନିଆଁରେ ଭାଇ
ଦୈବୀ ବିପତ୍ତିକୁ ସରି. ୧୨
ନିଜର ସନ୍ମାନ ନିଜ ପାଖେ ନାହିଁ
ଉଚ୍ଚ ଆସନରେ ବସି,
ସଂଜତ ନୋହିଲେ ଇଜ୍ଜତ କି ରହେ
ପର ଦୁଃଖ ଦେଖୁ ହସି. ୧୩
ପ୍ରେମ କେବେ ନୁହେଁ ପ୍ରତାରଣା ଟିଏ
ପ୍ରତାରିତ ହେଉ ନିଜେ,
ପ୍ରେମ ଲାଳସାରେ ପ୍ରୀତି ଅରଜିଲେ
କଳଙ୍କିତ ନିଶ୍ଚେ ସାଜେ. ୧୪
ନ ମଜ୍ଜି ଲାଳସ୍ୟେ ଆଧୁନିକ ରସେ
ଚୋପା ଖାଇ ରସ ଫିଙ୍ଗ,
ତେବେ ହିଁ ସାର୍ଥକ ମାନବ ଜୀବନ
ଉଚ୍ଚ ମନ ନେଇ ଜାଗ. ୧୫
ବିକୃତି ନୋହିଲେ ସ୍ଵୀକୃତି ପାଇବା
ପଞ୍ଚଭୂତେ ପ୍ରକୃତି ରୁ,
ସଂସ୍କାର ସଂସ୍କୃତି ଉଚ୍ଛେଦିତ ନୋହୁଁ
ମାନବ ସମାଜ ଠାରୁ. ୧୬
ଶିଖାଅ ରେ ନିଜେ ନିଜର ଦାୟଦେ
ସଂସ୍କୃତିର ଯେଉଁ ସ୍ଥାନ,
ସ୍ଵିକୃତି ପାଇବା ସଂସ୍କାର ବଳରେ
ଦେବ ତୂଲ୍ୟ ସନମାନ. ୧୭
ହସୁ ରେ ଗୌରବ ଫେରୁ ରେ ପୁରୁବ
ପୁରୁଷ ଯୁଗାନ୍ତ କୀର୍ତ୍ତି,
ରହୁ ସନମାନ ଆସୁ ସଦଜ୍ଞାନ
ଅଜ୍ଞାନାନ୍ଧ ହେଉ ଇତି. ୧୮
ବିମନା ନହୋଇ ସୁ ମନରେ ଥାଇ
ମନରେ ହେଜିଲେ ପଦେ,
ଏ ଦାସ ମାନସ ଜଗତ ମଙ୍ଗଳେ
ଜିଜ୍ଞାସୁ ଙ୍କ ପଦ ବନ୍ଦେ. ୧୯
**************************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129
