
ସକାଳୁ ଉଠି
ଶେଷ କରି ଦେଉ ବାସି ପାଇଟି
ଘରକୁ ଆମର ରାତି ଅଧ ଯାଏଁ
ମନ୍ଦିର ପରି ତୁ ସଜାଉ ଥାଉ ।।
ବୋଉଲୋ ବୋଉ
ନିତି ସକାଳେ
ତାପରେ ପୁଣି ତ ନିତି ସଞ୍ଜରେ
ଆମ ପରିବାର ମଙ୍ଗଳ ପାଇଁ ତୁ
ଠାକୁରଙ୍କ ପାଶେ ମନାସୁ ଥାଉ ।।
ବୋଉଲୋ ବୋଉ
ତୁ କୋମଳ
କେତେବେଳେ ବଜ୍ର ପରି କଠୋର
ଖାଇ ନ ଥିଲେ ମୁଁ
ଉପବାସ ରହି
ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉ ।।
ବୋଉଲୋ ବୋଉ
ମୋ ପାଖେ ବସି
ରୋଗ ହେଲେ ଦେହ ଦେଉ ଆଉଁସି
ମୋ ଦେହ ଭଲରେ
ଭଲ ହେବା ଲାଗି
ଭଗବାନ ଙ୍କୁ ତୋ ଆୟୁଷ ଦେଉ ।।
ବୋଉଲୋ ବୋଉ
ତୁ ମଣିଷ ଟିଏ
ତୋ ପରି ସତରେ ହେବରେ କିଏ
ବିଶ୍ରାମ ହୀନ
ଏତେ କାମ ଲାଗି
ଶକତି ସତରେ କେଉଁଠୁ ପାଉ ।।
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି, ଚାନ୍ଦପୁର,ନୟାଗଡ଼
ପିନ୍ -752024 Mob-9692374659
