
ଖୁସିରେ କଟଇ ଦିନ,
ଭଲ ସ୍ୱାସ୍ଥ୍ୟ ପାଇଁ କ'ଣ ଆବଶ୍ୟକ
ଜାଣି ନେବା ସୁଧୀ ଜନ II
ସ୍ୱାସ୍ଥ୍ୟକର ଖାଦ୍ୟ ସ୍ୱଚ୍ଛ ପାନୀୟ
ଉଚିତ ମାତ୍ରାରେ ନିଦ ,
ବ୍ୟାୟାମ ଯୋଗ ସହ ଶାରୀରିକ ଶ୍ରମ
ନ ରଖିବା ଅବସାଦ II
ଶାକାହାରୀ ହେବା ସବୁଜ ଖାଇବା
ପିଇବା ବିଶୁଦ୍ଧ ଜଳ ,
ଭୋଜନ ପIତ୍ରକୁ ସଫା ରଖୁ ଥିବା
ଖାଇବା ପାଚିଲା ଫଳ II
ସଫା ପରିବେଶ ପରିଷ୍କାର ଶେଯ
ଦେଇ ଥାଏ ମନେ ଶାନ୍ତି,
ଶାନ୍ତିରେ ଶୋଇଲେ ରୋଗ କମିଯିବ
ମନେ ନ ରହିବ ଅଶାନ୍ତି II
ଶରୀରକୁ ସଫା ସୁତୁରା ରଖିବା
ମନକୁ ରଖିବା ଖୋଲା,
ବିଚାର ଆଚାର ନିର୍ମଳ ରଖିବା
ଇର୍ଷା ଘରେ ଦେବା ତାଲା II
ହସିବା ବସିବା ମିଶିବା ସମସ୍ତେ
ନ ରଖି ଛନ୍ଦ କପଟ,
ବିଶ୍ୱାସ ରଖିବା ଈଶ୍ୱର ଉପରେ
କର୍ମ କରିଯିବା ସତ II
ମଣିଷ ପଣିଆ ହରାଇବା ନାହିଁ
ସେବାରେ ରଖିବା ମନ,
ମାନସିକ ଚିନ୍ତା ଦୁରକୁ ଫିଙ୍ଗିବା
ଫୁର୍ତ୍ତି ରଖିବା ତନ II
ଟିଭି ମୋବାଇଲ ଅବା କମ୍ପୁଟର
ପ୍ରୟୋଗ କରି ସୀମିତ,
ଟଙ୍କା ଟଙ୍କା ବୋଲି ବାଉଳି ହେବାନି
ଖର୍ଚ୍ଚରେ କରିବା କାଟ II
ଅନ୍ୟାୟ ବାଟରେ ଧନ ନ ଅରଜି
ଆଣିବା ଝାଳ ବୁହାଇ ,
ପର ଲୁହ ଆମ ପାଇଁକି ନ ବହୁ
ରଖିବା ମନରେ ଧ୍ୟାୟି II
ଶରୀର ଅଟଇ ମନ୍ଦିର ଆମର
ନିତି ଦେଉ ଥିବା ଧ୍ୟାନ ,
ମନ ତନ ଦୁଇ ସଠିକ ରହିଲେ
ହେବା ଯାଇଁ ସ୍ୱାସ୍ଥ୍ୟବାନ II
ସ୍ୱାସ୍ଥ୍ୟ ଆମର ଅଧିକାର ଅଟେ
ଅମୂଲ୍ୟ ମୁଖ୍ୟ ସମ୍ପଦ ,
ତାକୁ ଯଦି ଆମେ ଯତ୍ନ ନ କରିବା
ମାଡି ଆସିବ ବିପଦ II
{ସସ୍ମିତା ସାହୁ ନାଶିକ ମହାରାଷ୍ଟ୍ର }
