
ବେରିଙ୍ଗି ହୋଇଯାଇଥିବା
ମୋ ପ୍ରେମଚିଠି
ତୁମ ପାଖେ ଅଛି...?
କଲେଜର ଆର୍ଟସ ବ୍ଲକ ପାଖ
କ୍ୟାଣ୍ଟିନ କାନ୍ଥରେ
ଭଙ୍ଗା ଇଟାରେ ଲେଖା
ତୁମ ନାଁ ..ମୋ ନାଁ
ଆଉ କଣ ଅଛି ?
ନାହିଁ ନା ....
ହୁଏତ ନ ଥିବ
ତୁମ ସାଇକଲ ହାଣ୍ଡେଲରେ
ମୋ ନାଲି ରୁମାଲ...କିମ୍ବା
ତୁମେ ପଢ଼ୁଥିବା ପ୍ରତିଭା ରାୟ
ବହି ଭିତରେ
ମୁଁ ଦେଇଥିବା ମୟୂରର ପର
ରିକ୍ସା ଭିତରେ ବେଳାଭୂମି ଫେରନ୍ତା
ଝାଳୁଆ ଦେହର ହେଉ କି
ନଈପଠାରେ ଘରୁ ଲୁଚିଆସିଥିବା
ଅଳତା ପାଦ ଦୁଇର ହେଉ
ଫୋଟୋ ଟିଏ ଭଲା ଅଛି...!
ହେଇ ଦେଖ
ରାସ୍ତାରେ,ପାର୍କରେ, ମଲ ରେ
ଏମିତିକି ଦେବାଳୟରେ
ଗାଲରେ ଗାଲ ଘଷି
ହାତରେ ହାତ ଥାପି
ସେମାନେ କେମିତି
ବେଫିକର ନେଉଛନ୍ତି
ଶହ ଶହ ସେଲ୍ଫି
ସତରେ
ଭଲ ହୋଇ ଥାନ୍ତା କି
ସତୁରି ଦଶକରେ ନ ଜନ୍ମି
ଆମେ ଦୁହେଁ ଜନ୍ମିଥିଲେ
ନବେ ଦଶକରେ...
^^^^^^*^^^^^^
