
• ତୁମେ ମୋ ପ୍ରାଣ ର ପ୍ରାଣ ଶୂନ୍ୟ ବ୍ରହ୍ମ ନାରାୟଣ
• ତୁମେ ତ ଜୀବ ଜୀବନ, ବିଶ୍ବ ଭୂବନେ
• ତୁମକୁ ମୁଁ ଅନୁଭବେ ଦେଖିଅଛି ଠାବେ ଠାବେ
• ଶିଶୁ ର ଦରୋଟି ହସ ତା ହସ ମୁହେଁ ।।
•
• ପ୍ରାତ ଭ୍ରମଣ କାଳରେ ସଦ୍ୟ ବିକଚିତ ଫୁଲେ
• କୁଆଁରୀ କନ୍ୟା ର ଲାଜ ଓଢ଼ଣା ତଳେ
• ଦେଖିଛି ଅନେକ ବାର ସେବେଳେ ତୁମେ ଈଶ୍ଵର
• ନାଚିଯାଏ ତୁମ ସତ୍ତା ମୋ ହୃଦ ପଟଳେ ।।
•
• ବସନ୍ତ ମନ୍ଦ ମଳୟ ବହିଲେ ମନ ଅଥୟ
• ଉଲ୍ଲସିତ ହୁଏ ମନ ପ୍ରାଣ ଅଧୀର
• ଶ୍ରାବଣ ବାରି ଧାରାରେ ବଇଶାଖ ନିଦାଘ ରେ
• ଶରତ ଚନ୍ଦ୍ର ଆକାଶ ଝରା କାକର ।।
•
• ସକାଳ ସୂରୁଯ କର ନବ କିଶଳୟ ଦଳ
• ଚିତ୍ରିତ ପ୍ରକୃତି ରୂପେ ମନ ଉଛୁଳେ
• ସେ ସବୁ୍ରେ ତୁମ ରୂପ ହେଉଅଛି ପ୍ରତିଭାତ
• ଦିବ୍ୟ ଭାବ ଭୋଳେ ଜ୍ଞାନ ଦୀପାଳୀ ଜଳେ ।।
•
• ଭ୍ରମର ମଞ୍ଜୁ ଗୁଞ୍ଜନ କୋକିଳ ପଞ୍ଚମ ତାନ
• ସଜ ସରସୀଜ କାନ୍ତି ମନକୁ ମୋହେ
• ସୈାଦାମିନୀ ଚମକିଲେ ବାଶବ ଧନୁ ଚିତ୍ରରେ
• ହାଦେ ତୁମ ସତ୍ତା ସେଠି ଝଲସୁ ଥାଏ ।।
•
• ଅନୁଭବେ ଅନୁଭବି ଦେଖିଛି ତୁମର ଛବି
• ପ୍ରତିସମୟରେ ତୁମ ରୂପ ଆଖି ଆଗେ
• ନାଚି ନାଚି ଯାଏ ପ୍ରାଣ ପ୍ରଫୁଲ୍ଲିତ ହୁଏ ମନ
• ଏ ପାପୀ ଜୀବନ ସମର୍ପିତ ତୁମ ପଦେ ।।
