ମାନବର ଅଧିକାର ଉଲ୍ଲଘଂନ ହେଉଛି |ଆଉ ତାକୁ ନ୍ୟାୟ ପାଇଁ କୋର୍ଟ ,କଚେରୀ ସହ ମାନବ ଅଧିକାର ଆୟୋଗ ଯାଏଁ ଦୌଡିବା ସାର ହେଇଛି ସତ ସାଧାରଣ ମଣିଷକୁ ନ୍ୟାୟ ମିଳିନି |ବନ୍ଧ ତିଆରି ହେବା,କମ୍ପାନୀ ବସିବା,ମହାମନୀଷୀ ମାନଙ୍କ ବିଶାଳ ମୂର୍ତି ନିର୍ମାଣ କରାଯିବ ସେଥିପାଇଁ ସାଧାରଣ ଲୋକ ନିଜ ଭିଟାମାଟି ହରେଇବ ଆଉ ବିସ୍ଥାପିତ ହୋଇ ନିଜ ହକ ପାଇ ନାହିଁ |ଆଉ ଯଦି ନିଜର ସବୁ କିଛି ହରେଇବା ପରେ କିଛି ପାଇଲା ସେଥିରେ ବି ପ୍ରଶାସନ ,ନେତା ଓ ଟାଉଟର ଲୋକଙ୍କ ନାନା ଫନ୍ଦି ଫିକର ଭିତରେ ସାଧାରଣ ଜନତା ତଉଲି ହେଉଛି |
ଦେଶରେ ଦଳେ ଲୋକ ଓ ପରିବାର ଜାତିଗତ କୋଟା ଯୋଗୁ ବଳି ପଡୁଥିବା ବେଳେ ଆଉ ଦଳେ କୋଟାକୁ ନିଜର ବଂଶଗତ ଅଧିକାର ଭାବି ପାଞ୍ଚ ପୁରୁଷ ପାଇଁ ନିଜ ସୁଖ ସୁବିଧା ହାସଲ କରିଚାଲୁଛି |ଆଉ ବିଭିନ୍ନ ପ୍ରକାର କୋଟା ତିଆରି କରାଯାଇ ଏଠି ରାଜନୀତି ଓ ଭୋଟର ଖେଳ ଖେଳା ଯାଉଛି |ଗଣତନ୍ତ୍ର ଶାସନରେ ଶାସନର ସ୍ୱାଦ ଚାଖିବା କଥା ସାଧାରଣ ନାଗରିକ ଯୋଉ ଆଶା କରିଥିଲା ତାହା ସମ୍ଭବ ହେଇପାରୁନି |ଗଣତନ୍ତ୍ର ନାମରେ ଏଠି ରାଜତନ୍ତ୍ର ଚାଲିଛି |ଆଉ ରାଜାର ପୁଅ ରାଜା ହେବା ଭଳି ଏବେବି ବଂଶବାଦର ରାଜନୀତି ଚାଲିଛି |ଜଣେ ସଚୋଟ,ସ୍ୱାଭିମାନ ଓ ଧନ ନଥିବା ଲୋକ ପାଖେ ରାଜନୀତି କରିବା ଗୋଟେ ବଡ ସ୍ୱପ୍ନ ଆଜି ହୋଇଯାଇଛି |
ସାଧାରଣ ମଣିଷର ଗୁହାରି ଓ ନିବେଦନର ଏଠି କିଛି ମୂଲ୍ୟ ନଥିବା ଭଳି ପ୍ରତୀୟମାନ ହୁଏ |ଏଠି ଯଦି କୌଣସି ସମସ୍ୟାକୁ ନେଇ ଅଧିକାରୀ ଓ ନେତାମାନଙ୍କୁ ଗୁହାରି କରିବାକୁ ଗଲ "ହଉ ଦେଖିବା " କହି ଆଶ୍ୱାସନା ମିଳେ |ଦିନ ପରେ ଦିନ ଗଡି ଚାଲେ କିନ୍ତୁ ସାଧାରଣ ମଣିଷର ସମସ୍ୟା ସବୁ ସମସ୍ୟା ଭିତରେ ରହିଯାଏ| କିଛି ଲୋକ ଏଠି ପ୍ରଶାସନକୁ ଏମିତି ପରିଚାଳିତ କରନ୍ତି ,ଯଦି କାହା ବିରୁଦ୍ଧରେ କିଛି ଅଭିଯୋଗ କରାଯାଏ ତେବେ ଅଭିଯୋଗ ଫର୍ଦ ଗ୍ରହଣ ହୁଏ | ଆଉ ଯାହା ନାମରେ ଅଭିଯୋଗ କରାଯାଇଥିବ ସେହି ଲୋକଠାରୁ ଅଧିକାରୀମାନେ ମୋଟା ଅଙ୍କର ଚାନ୍ଦା ଆଦାୟ କରିବେ |ଆଉ ଯିଏ ଅଭିଯୋଗ କରିଥିବ ସିଏ ବିଚରା କାନ ନ ଶୁଣିଲା ଭଳି
ଗାଳି ଶୁଣିବ ଆଉ ମାଡବି ଖାଇବା ସାର ହେଉଛି | ଏହି ସମାଜରେ ଯିଏ ଦାନା କନା ଦେଇ ଜଗତ ପାଳିବ ସେ ସରକାରର ଦୟାର ପାତ୍ର ହୋଇ ବଂଚିବ |ଏଠି ହକ ପାଇଁ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବ |ଚାଷୀ ,ବସ୍ତି ବାସିନ୍ଦା ,ଭୂମିହୀନ ,ବିସ୍ଥାପିତଙ୍କ ହକ ପାଇଁ ରାଜ ରାସ୍ତାରେ ଚିଲାଉ ଥିବା ଲୋକଟି ନେତା ସାଜି ସେମାନଙ୍କୁ ଶାସନ କରୁଥିବ ଆଉ ସାଧାରଣ ମଣିଷ ଏଠି ଭକୁଆ ସାଜି ନିଜ ଜୀବନ ଜୀବିକା ସହ ଲଢେଇ କରିଚାଲିଥିବ |
ପ୍ରଭୁ ରାମଚନ୍ଦ୍ର ଗୁରୁକୁଳରେ ବଶିଷ୍ଠଙ୍କ ପାଖରେ ପଢିଥିଲେ |ନିଜ ଜ୍ଞାତୀଜନ ଓ ଭିଟାମାଟିକୁ ଛାଡି ଜଙ୍ଗଲରେ କିପରି କାଳାତିପାତ କରି ହେବ ସେଥିପାଇଁ ସେ ଶିକ୍ଷା ପାଇଥିଲେ |ତେଣୁ ସେ ଚଉଦ ବର୍ଷ ବନବାସ ପାର କରିଦେଲେ |କିନ୍ତୁ ଆଜିର ପାଠ୍ୟକ୍ରମରେ କୋଉଠି ଭିଟାମାଟି ଛାଡି ,ଅଲଗା ଭାଷାଭାଷୀ ରାଜ୍ୟରେ କିପରି ଚଳିବ ସେ ବିଷୟରେ ଶିକ୍ଷା ଦିଆ ଯାଉନି |କିନ୍ତୁ ପଢା ସାରିବା ପରେ ନିଜ ରାଜ୍ୟରେ ପେଟ ପୋଷିବାର ବାଟ ନ ପାଇଁ ବିଭିନ୍ନ ବର୍ଗର ବେକାର ଯୁବକ ,ଯୁବତୀ ମାନେ ଗୁଜୁରାଟ,ମହାରାଷ୍ଟ୍ର ,କର୍ଣ୍ଣାଟକ,ଗୋଆ, ଆନ୍ଦ୍ରପ୍ରଦେଶ,କେରଳ ସହ ବିଦେଶରେ ଯାଇ କର୍ମ ସଂସ୍ଥାନ ଯୋଗାଡ କରୁଛନ୍ତି |କିନ୍ତୁ ନିଜ ରାଜ୍ୟରେ ପଢି ନିଜ ରାଜ୍ୟର
ବିକାଶରେ ଲାଗି ପାରୁ ନାହାନ୍ତି | ଯୋଗ୍ୟତା ଥାଇ ଅନେକ ମଣିଷ ଏଠି ଚାକିରୀ ପାଇଁ ପାରୁ ନାହାନ୍ତି ଅନେକ ଅଯୋଗ୍ୟ କଳେବେଳେ କୌଶଳେ ଚାକିରୀ କରି ଶାସନ ରୂପକ ରଥ ଟାଣୁଛନ୍ତି | ଧର୍ମରେ ରକ୍ତପାତ ଯୋଗୁ ଅନେକ ମଣିଷଙ୍କ ମୁଣ୍ଡ ବଳି ପଡୁଛି |ଆଉ ଧର୍ମକୁ ନେଇ ରାଜନୀତି କରୁଥିବା ଲୋକ ବେଶ ଅୟସରେ ରହି ଏଠି ରକ୍ତର ହୋଲି ଖେଳୁଛି | ଦେଶ ଓ ରାଜ୍ୟର ସୀମା ବିବାଦ ଭିତରେ ମଣିଷ ଏଠି ବଳି ପଡୁଛି |ସୀମା ବିବାଦର ସଙ୍ଘର୍ଷ ଭିତରେ ଅନେକ ପରିବାର ଓ ଜୀବନ ଉଜୁଡି ଯାଉଛି | ମୁକ୍ତ ଅର୍ଥନୀତିର ଦେଶ ଗୁଡିକରେ ସାଧାରଣ ଲୋକଟିଏ ବେପାର ବଣିଜ କରି ଚଳିବା ଏଠି ଦୂରହ ବ୍ୟାପାର ହେଇପଡ଼ିଛି |ଆଉ ବିତ୍ତଶାଳି ମାନେ ଏଠି ବଡ ମଲ ସବୁ ଖୋଲି ଆଳୁ,ପିଆଜ,ଚାଉଳ , ଡାଲି ଓ ଶାଗ ବିକୁଛନ୍ତି |ସେମାନଙ୍କ ବିଶାଳ ମଲଗୁଡିକୁ ଦେଖି ସାଧାରଣ ମଣିଷଟିଏ ବେପାର କରିବାକୁ ଡରି ଯାଉଛି | ଆଉ ବିତ୍ତଶାଳି ମାଲିକ ମାନଙ୍କ ମଲ ଗୁଡ଼ିକରୁ ସାମଗ୍ରୀ କିଣିସାରିବା ପରେ ଯେତେବେଳେ ସାମଗ୍ରୀସବୁ ଆଣିବା ପାଇଁ ବ୍ୟାଗଟିଏ ମାଗୁଛନ୍ତି ତାହା ବି ମାଗଣାରେ ମିଳୁନି | ସେଥିପାଇଁ ପାଞ୍ଚ ଟଙ୍କା ଦେବାକୁ ପଡୁଛି |ଆଉ ସାଧାରଣ ମଣିଷ ସେହି ମଲର ନାମ ଲେଖା ଯାଇଥିବା ବ୍ୟାଗ ଧରି ବଜ଼ାର ଘାଟ ବୁଲି ମଲର ପ୍ରଚାର ପ୍ରସାର କରୁଛି | ମାଗଣାରେ ବିତ୍ତଶାଳି ଲୋକଙ୍କ ବିଜ୍ଞାପନ ହେଉଛି କିନ୍ତୁ ସାଧାରଣ ଲୋକକୁ ସେଥିପାଇଁ ଅର୍ଥ ଦେବାକୁ ପଡୁଛି |ଠିକ ସେହିଭଳି ସାଧାରଣ ଲୋକଠାରୁ ବିଭିନ୍ନ ବାଟରେ ନିଆଯାଉଥିବା କର (ଟାକ୍ସ)ରେ ସାମୁହିକ ଉନ୍ନତିରେ ଖର୍ଚ୍ଚ ହେଉନି |ଶାସନରେ ଥିବା ସରକାର ସାଧାରଣ ଜନତାର ଟିକସ ଅର୍ଥକୁ ନିଜ ପ୍ରଚାର ପ୍ରସାରରେ ଲଗାଉଛି | ସାଧାରଣ ଜନତାର ଉନ୍ନତି ପାଇଁ ଏଠି ଋଣ କରାଯାଇ ଘିଅ ପିଆଯାଉଛି |ଋଣ ବୋଝ ସାଧାରଣ ଲୋକ ବୋହି ଚାଲୁଛି |ଲୋକଙ୍କ ପାଇଁ ଆସୁଥିବା ଯୋଜନା ଅର୍ଥ ହରିଲୁଟ ଚାଲିଛି ଆଉ ଶାସନରେ ଥିବା ସରକାର ଲୋକଙ୍କ ଅର୍ଥରେ ଯୋଜନା କରି ବାହାବା ନେଉଛି | ଏବେବି ନାରୀ ତାର ହକ ପାଇଁ ଲଢ଼ୁଛି |ନିର୍ଭୟା,ବେବିନା ,ଇତିଶ୍ରୀ,ଆସିଫା ଓ କୁନ୍ଦୁଲି ପୀଡିତ ମାନେ ଏଠି ଜୀବନ ଦେଇ ନାରୀର ସ୍ଥିତି କଥା ଏବେବି କହି ଚାଲିଛନ୍ତି |ଆଉ ସାଧାରଣ ମଣିଷ ନିଜ ଝିଅ ,ବୋହୂର ସୁରକ୍ଷା ନେଇ ଏବେବି ଚିନ୍ତା ମୁକ୍ତ ରହିପାରୁନି |
ଏଇ ଆକାଶ ତଳେ କିଏ ଦୁଃଖକୁ ସାଥି କରିଛି ଆଉ କିଏ ସୁଖର ପାହାଡ ଉପରେ ଶୋଇ ସମସ୍ତକୁ ଦିନର ଆଲୋକରେ ଲଣ୍ଠନ ଦେଖାଉଛି | ସାଧାରଣ ଜନତା ଏଠି ଶୋଷିତ ,ଲୁଣ୍ଠିତ ,ଅତ୍ୟାଚାରିତ ହୋଇ ଆଖିର ଲୁହ ପୋଛି ତଥାପି ବଂଚିଛି |
ନବଜୀବନ ସମାଜ,ସଫା,କଟକ
ଦୂରଭାଷ ନମ୍ବର-୯୭୭୭୭୬୬୩୪୬

