
ଧନ୍ୟ ସେ ଚୟନ ବାଃ ଚୟନକର୍ତ୍ତା ଆପଣ କେଡେ ମହାନ!
ସ୍ୱର୍ଗକୁ କର ଶ୍ମସାନ
ନିଜକୁ ଭାବୁଛ କଂସ କି ରାବଣ ମିଳିଛି ବୋଲି ଆସନ।
ତୁମେ ଯେ ଅଯୋଗ୍ୟ ବଡ ତୁମ ଭାଗ୍ୟ ପାଇଛ ଗୋଟେ ପଦବୀ
ସମ୍ମାନ ଦିଅନା ପଦକୁ କେବେହେଁ ମର୍ଯ୍ୟାଦାକୁ ଭାବ ଛବି
ତୁମରି ଅନ୍ୟାୟ ଲାଗି
ପ୍ରତିଭା ଲୁଚଇ ଲଜ୍ଜା ସ୍ୱାଭିମାନେ ଅଯୋଗ୍ୟ ବନଇ ଗର୍ବୀ।
ଏଡେ ଅବିବେକୀ ଏଡେ ସ୍ୱାର୍ଥପର ନିଜ ସ୍ୱାର୍ଥକର ଚିନ୍ତା
କର୍ତ୍ତବ୍ୟ ନ କରି ତୁମରି ଗୋଲାମ ସାଜେ ଯିଏ କର୍ମହନ୍ତା
ତା'ର ଟେକିଥାଅ ମଥା
ଯୋଗ୍ୟ ହଜିଯାଏ ଅଯୋଗ୍ୟ ସାଗରେ ହୃଦେ ଚାପି ତା'ର ମଥା।
କଳା ଯେ ଜାଣେନା ତୁମ ଦସ୍ତଖତେ କର ତାକୁ କଳା ଶ୍ରେଷ୍ଠ
କାସାଣ୍ଡ୍ରା ସମ୍ମାନ(କଳା)ପାଇଁ ମନୋନୀତ କର ହୀନ ଓ ନିକୃଷ୍ଟ
ଧନ୍ୟ ତୁମେ ଶୂନ୍ୟ ଶିଷ୍ଟ
ଶିକ୍ଷା ବ୍ୟବସ୍ଥାକୁ କଳୁଷିତ କଲ ଅନିଷ୍ଟ ସାଥି ବିନିଷ୍ଟ।
ଅପାତ୍ରରେ ଦାନ ମହାପାପ ବୋଲି ନାହିଁ ଯଦି ତୁମ ଜ୍ଞାନ
ଅଯୋଗ୍ୟ ହାତରେ ଦେଉଛ ମୁକୁଟ ବିକି କରିଦେବ ଶୂନ
ସାଜନାହିଁ ଭଗବାନ
ଅନ୍ୟାୟ ଅନୀତି ଅବିଚାର କଲେ(ପାଇବ)ପ୍ରତିକ୍ଷଣେ ଅପମାନ।
💐 *ନାରାୟଣ ଚନ୍ଦ୍ର ସେନାପତି*💐
ଜମ୍ଭରା,କେନ୍ଦୁଝର
