ଶୁଣରେ କୁନା ବୁଝୁରେ ମୁନା
କରିବୁ ଯଦି ତୁ ଭକ୍ତି
କଲ୍ୟାଣ ଲଭିବୁ ସବୁକୁ ଜିଣିବୁ
ପାଇବୁ ତୁ ମହାଶକ୍ତି ॥
ଗଣେଶ ପୂଜିବୁ ବୁଦ୍ଧି ଅରଜିବୁ
ସାଜିବୁ ତୁ ମାତୃଭକ୍ତ
ଜ୍ଞାନର ଦୀପାଳି ଜାଳିବୁ ସଂସାରେ
ଲୋଭ ମୋହୁ ହେବୁ ମୁକ୍ତ॥
ଧ୍ରୁବ ପ୍ରହଲାଦ ପଥ ଅନୁସରି
ସାଜିବୁ ଈଶ୍ୱର ଭକ୍ତ
ତାଙ୍କୁ ଆରାଧିଲେ ସଂସାର ଜିଣିବୁ
ଦୟା ଲଭି ହେବୁ ସିକ୍ତ॥
ଆରୁଣିର ନିଷ୍ଠା ଏକଲବ୍ୟ ଦାନ
ଉପମନ୍ୟୁ ପରି ଭକ୍ତ
ଗୁଣ ଚିହ୍ନି ସେହି ଗୁଣେ ସ୍ନାନ କରି
ହୋଇବୁ ତୁ ଶ୍ରେଷ୍ଠଭକ୍ତ॥
ନଚିକେତା ଶିଶୁ ପିତୃବାକ୍ୟ ମାନି
ମନକୁ କରିଲା ଶକ୍ତ
ଯମ ସାଥେ ଲଢି ଆତ୍ମଜ୍ଞାନ ପାଇ
ସାଜିଲା ସେ ପିତୃଭକ୍ତ॥
ବାଜିଆ ଆଦର୍ଶ ହୃଦୟେ ଆଙ୍କିଲେ
ସାଜିବୁ ତୁ ଦେଶଭକ୍ତ
ଧରମାର ତ୍ୟାଗ ଧମନୀରେ ରଖି
ହୋଇବୁ ତୁ ଭୋଗମୁକ୍ତ॥
ଏସବୁ ଭକତି ଅର୍ଜନ କରିବୁ
ମନେ ରଖିବୁନି ତିକ୍ତ
ସେନେହ ଶରଧା ମମତା ବିଶ୍ୱାସେ
ହୋଇବୁ ମହାନ ଭକ୍ତ॥
💐 *ନାରାୟଣ ସେନାପତି*💐
⛳ *ଜମ୍ଭରା,କେନ୍ଦୁଝର*⛳
