
ଫଗୁଣ ଆସୁଛି ବଉଳ ବାସୁଛି
କୋଇଲି ଡାକୁଛି କୁହୁ
ତୁ ଆସୁଛୁ ବୋଲି ମଧୁମୟ ଦିନ
ଝର ଝର ଝରେ ମହୁ ।
ଗନ୍ଧ ବିହୀନ ପଳାସଟା ଆଜି
ଖିଲି ଖିଲି ହସି ଉଠେ
କାକାର ଦେଉଛି ମାଟିକୁ ଭିଜେଇ
ଆସିବୁ ତୁ ଯୋଉ ବାଟେ ।
ମଳୟ ବହିବ ତୋଦେହ ଛୁଇଁବ
ଚାନ୍ଦ ଦିଶେ ଦାଉ ଦାଉ
ଫଗୁଣ ଆସୁଛି ବଉଳ ବାସୁଛି
କୋଇଲି ଡାକୁଛି କୁହୁ - - - -
କୋଟିଏ ସପନ ସତ ହେବ ବୋଲି
ମାଟିରେ ଲାଗୁନି ପାଦ
ତୋ କଥା ଭାବି ରାତି ବିତିଯାଏ
ଆଖିରେ ନାହିଁ ମୋ ନିଦ ।
ଦେବିମୁଁ ହଜେଇ ନିଜଠୁ ନିଜକୁ
ତୁ ଗୀତ ପଦେ ଗାଉ ଗାଉ
ଫଗୁଣ ଆସୁଛି ବଉଳ ବାସୁଛି
କୋଇଲି ଡାକୁଛି କୁହୁ - - - - - -
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
