
ବାବାଙ୍କ ଭିତିରି କଥା ସଜନୀଲୋ
ଭକତଙ୍କୁ ସବୁ ଜଣା
ଜାଣିକି ଅଜଣା ହୁଅନ୍ତି ଭକତେ
ଆଖି ଥାଉ ଥାଉ କଣା ।
କିଏ ସେ ଆତଙ୍କବାଦୀ ସଜନୀଲୋ
ପାକିସ୍ତାନ ଜାଣିଅଛି
ଗାଲୁଆଙ୍କ ବାରବାଟୀ ଚାଷ ଭଳି
ଏବେବି ଗାଲୁ ମାରୁଛି ।
କିଏ ସାଧୁ କିଏ ଚୋର ସଜନୀଲୋ
ପୁଲିସି ପାଖେ ହିସାବ
ପୁଲିସିଟା ଯଦି ଚୋର ସାଥି ହୁଏ
ଚୋରକୁ କିଏ ଧରିବ ?
କଳାଟଂକା କାହାପାଖେ ସଜନୀଲୋ
ଜାଣିସିନ୍ତି ସବୁ ନେତା
ଆଣିବେ ଫେରେଇ ତୁଚ୍ଛା ଫୁଟୁକୁଣି
ମୁହେଁ ଖଡାଗଛ ଛତା ।
ଟଙ୍କିଆ ଚାଉଳ ମିଳେ ସଜନୀଲୋ
ପାଞ୍ଚ'ରେ ମିଳେ ଆହାର
ମିଶନ ଶକତି ପିଠା ଓ କାଳିଆ
ଭୋଅଟ କିଣା ବେପାର ।
କୄଷକ ଶବଦ ଆଗେ ସଜନୀଲୋ
ଯୋଜନା ନାମ କାଳିଆ
କୄଷକ ବଦଳେ ଫାର୍ମର ଯୋଡିଲେ
ହୋଇ ଥାଆନ୍ତା ଫାଳିଆ ।
ମୁଣ୍ଡପିଛା ଋଣଭାର ସଜନୀଲୋ
ଦିନୁଦିନ ବଢୁଅଛି
ସଚେତନ ଆମେ ହେବା କେଉଁଦିନ
ସତୁରୀ ବର୍ଷ ବିତିଚି ।
ନିର୍ବାଚନ ଆସିଗଲା ସଜନୀଲୋ
କେତେ ଯୋଜନା କାଢିବେ
ମଦମାଂସ ଦେଇ ଲୋକଙ୍କୁ ହାତେଇ
ପାଞ୍ଚବରଷ ମାରିବେ ।
ବିକିବାନି ଆଉ ମୁଣ୍ଡ ସଜନୀଲୋ
ଅଳସୁଆ ହେବାନାଇଁ
ଭାବିଚିନ୍ତି ନେତା ବାଛିବା ଏଥର
ପରିବରତନ ପାଇଁ ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ,
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ
