
ଆର ସନ ଠାରୁ ଗୁରିଆ ଯାଇଛି
ଇଟା ଗଢିବାକୁ ବିଦେଶକୁ
ଦଶହରା ଗଲା ପୁଅ ନଫେରିଲା
ମା ଚାହେଁ ଦାଣ୍ଡ ଦୁଆରକୁ
ଫୋନ୍ କରିଥିଲା ପଡିଶାକୁ
ମାଲିକ ଛାଡୁନି ବାର ଘଣ୍ଟା କାମ
ଫୁରୁସତ ନାହିଁ ଖାଇବାକୁ
ଖବର ଆସିଲା ଗାଆଁ ଦୁଲୁକିଲା
ସମସ୍ତେ କହିଲେ ଆହା ଆହା
ଗୁରିଆ ମା ର ଚେତା ବୁଡିଗଲା
ବୁଢୀବେଳେ କିଏହେବ ସାହା
ନିଆଁ ଦେବାପାଇଁ ନାହିଁ ରାହା
ଭେଣ୍ଡା ପୁଅ ଘରୁ ଗଲା ହସି ହସି
ଆସିଲା ମରଣ ବାର୍ତ୍ତା ଯାହା
ଆର ସାହି ହରି ଝୀଅ ଗୁରୁବାରୀ
ସଙ୍ଗେ ଯାଇଥିଲା କଥା ତୁଟି
ଏ ସନ ମାଘରେ ଗୁରିଆ ସାଥୀରେ
ପଡିଥାନ୍ତା ତା'ର ହାତଗଣ୍ଠି
ବିଧାତା ଧଇଲା ଯାହା ତଣ୍ଟି
ଏଠି ମିଳୁନାହିଁ କାମ ବୋଲି ପୁଅ
ବିଦେଶ ଗଲା ଦାଦନ ଖଟି
ସରକାର କହେ ବିକାଶ ହେଉଛି
ବଢୁଛି ଆର୍ଥିକ ମାନଦଣ୍ଡ
ଭୋକରେ ରହିବେ ନାହିଁ ଜଣେ କେହି
ଦୁର୍ନୀତି କଲେ ମିଳିବ ଦଣ୍ଡ
ଯୋଜନା ଗୁଡାକ ଲଣ୍ଡଭଣ୍ଡ
ଭୋଟ୍ ବେଳକୁ ଆସିଯିବେ ସବୁ
ସରକାରଙ୍କର ପୋଷା ଷଣ୍ଢ
ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା
