
ସବୁଥାଇ ମୋ'ର କିଛିହେଲେ ନାହିଁ
କିଏ ପଚାରୁଛି ମୋତେ
ଅନ୍ଧାରି କୋଣରେ ଉଭେଇ ଯାଉଛି
ପ୍ରତିଭା ମୋହର ଯେତେ
ଭାବି ଭାବି ଦିନ ବିତେ ।।
ହୃଦୟ ଭିତରୁ ପ୍ରସ୍ଫୁଟିତ ହୋଇ
ବାସନା ଚହଟୁ ଥାଏ
ଲୋକ ଲୋଚନକୁ ଆସି ପାରେନାହିଁ
ପବନରେ ମିଶି ଯାଏ
ବିଶ୍ୱାସ କରିବ କିଏ ।।
କାହାରି ସେବାରେ ଲାଗି ପାରେନାହିଁ
ଥାଇ ରୂପ ଯଉବନ
ବିଧାତାଙ୍କ ସତେ କି ବିଚାର ମୋତେ
ନେଇ ରଖିଛନ୍ତି ବନ
ଖୁସି ରଖିବାକୁ ମନ ।।
ଅଵଶୋଷ ନାହିଁ ତିଳେହେଲେ ମାତ୍ର
ନାହିଁ ହୃଦେ ଅହଂଭାଵ
କିଛି ନା କିଛି ତ ଭଲ ଗୁଣ ଦେଖି
ଜନମ ଦେଇଛି ଦେବ
ଅନ୍ୟଥା କେବେ ନହିବ ।।
ଆଦରି ନ ନେଲେ ନ ନିଅନ୍ତୁ ପଛେ
କେହି ପାରିବେନି ଭୁଲି
ସମସ୍ତଙ୍କ ମନେ ସଦା ରହିଥିବି
ମନର ଦରଜା ଖୋଲି
ମୁଁ ଯେ ଏକ ବଣମଲ୍ଲୀ ।।
ଭଗବାନ ବେହେରା
ବାରକୋଟ, ଦେବଗଡ଼, ଓଡ଼ିଶା
