
• କୈଳାସେଶ୍ଵର ଶିବ ଶଙ୍କର ହେ
• ତ୍ରୀଲୋଚନ ତ୍ରୟମ୍ଵକ ପିନାକ ଧର ହେ ।।
•
• ମହା ଯୋଗୀ ଯୋଗେଶ୍ଵର ଶମ୍ଭୁ ପଶୁପତି
• ଭୂତପତି ଭୂତେଶ ହେ ନଟରାଜ ମୁର୍ତ୍ତି
• ସଂସାର ମଙ୍ଗଳ କାରି ମହା ମହେଶ୍ଵର
• କୈଳାସେଶ୍ଵର……।।
•
• ଶ୍ମଶାନ ଭଷ୍ମ ଭୂଷଣ ହେ ବିଷ ଭୂଷଣ
• ହଳାହଳ ପାନେ ନୀଳକଣ୍ଠ ତୁମ ନାମ
• ମଙ୍ଗଳମୟ ମଙ୍ଗଳ ପୁରୁଷ ଈଶ୍ଵର
• କୈଳାସେଶ୍ଵର……..।।
•
• ଭକତ ଭାବରେ ଭୋଳା ହର ଦିଗମ୍ଵର
• ଯୋଗାରୁଢ ପୁରୁଷ ହେ ଦୟା ଅବତାର
• ଅକର୍ମ କର୍ମ ଦାୟକ ହର ମହେଶ୍ଵର
• କୈଳାସେଶ୍ଵର……….।।
•
• ଶକ୍ତି ସଂଯୁକ୍ତ ପ୍ରକୃତି ପୁରୁଷ ଆକାର
• ଗଳାରେ ଶୋଭିତ ଚମ୍ପା,ଗୟସ ର ହାର
• ଲିଙ୍ଗ ରୂପି ଦେବଦେବ ଶ୍ରୀ ଚନ୍ଦ୍ରଶେଖର
• କୈଳାସେଶ୍ଵର……… ।।
•
• କପାଳ ମାଳା ରୁଦ୍ରାକ୍ଷ ଗଳେ ବିରୁପାକ୍ଷ
• ଜଟାଧାରୀ ଜଟା ଆହା ଜାହ୍ନବୀ ଶୋଭିତ
• ପ୍ରଫୁଲ୍ଲ ଭକତି ଘେନାକର , ଗଙ୍ଗାଧର
• କୈଳାସେଶ୍ଵର……।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
