ମନ‌ ମନ୍ଦିର ର ହୃଦୟ ପଦ୍ମରେ ରତନର ସିଂହାସନ
ସେହି ସିଂହାସନେ ବିଜେ କରିଛନ୍ତି ମହାପ୍ରଭୁ ନାରାୟଣ
ଦେଖିଲେ ବୁଝିଲେ ରେ ଅବୁଝା ମନ ଲଭିବୁ ବୈକୁଣ୍ଠ ଧାମ
ମନ ମନ୍ଦିରର ହୃଦୟ ପଦ୍ମରେ………।।

ନିଜକୁ ଚିହ୍ନିଲେ ସବୁ ବୁଝିଯିବୁ ନିଜକୁ ତୁ ଆଗ ଚିହ୍ନ
ନହେଲେ ଜୀବନେ ଉପଭୋଗ ନାହିଁ ଅବୁଝା ଗଣିତ ସମ
ଅଛିଣ୍ଡା ଅଙ୍କ ଏ ଜୀବନ ନାଟକ ବିଅର୍ଥ ହେବ ଜୀବନ
ମନ ମନ୍ଦିରର ହୃଦୟ ପଦ୍ମରେ…….।।

ଅଙ୍କାବଙ୍କା ଏହି ସଂସାର ର ପଥ ଚାଲିବା ବଡ଼ ଗହନ
ଖାଲ ଖମା ଆଉ ଅନ୍ଧାର ଆଲୁଅ ବିଧି ନିର୍ବନ୍ଧ ବିଧାନ
ମୁକତି ପାଇବା ପାଇଁ ଲୋଡା ଧନ ନିଜକୁ ନିଜେ ତୁ ଚିହ୍ନ
ମନ ମନ୍ଦିରର ହୃଦୟ ପଦ୍ମରେ……..।।

ନିଜକୁ ନିଜେ ତୁ କିପରି ଚିହ୍ନିବୁ ସରଳ ଉପାୟ ମାନ
ଖଞ୍ଜି ଦେଇଛନ୍ତି ବିହି ଏ ସଂସାରେ ପାଇବୁ କରିଲେ ଧ୍ୟାନ
ସତ୍ୟ ଧର୍ମ ନ୍ୟାୟ ପଥର ପଥିକ ହୁଅତୁରେ ମୋର ଧନ
ମନ ମନ୍ଦିରର ହୃଦୟ ପଦ୍ମରେ…….।।

ରେ ଅବୁଝା ମନ ଶୁଣ ମୋ ବଚନ ସେ ପରା ବିଶ୍ଵ ଜୀବନ
ପ୍ରତିକ୍ଷଣେ ବିରାଜିତ ନିରନ୍ତର ତୋ ହୃଦୟ ସିଂହାସନ
କହଇ ଅଜ୍ଞାନୀ ପ୍ରଫୁଲ୍ଲ ରେ ମନ ନିଜକୁ ନିଜେ ତୁ ଚିହ୍ନ
ମନ ମନ୍ଦିରର ହୃଦୟ ପଦ୍ମରେ…….।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା