ଏଇ ତାରଭର୍ତ୍ତି ନିର୍ମଳ ଆକାଶକୁ ଚାହିଁଲେ କେତେ କଣ ମନେ ପଡ଼ିଯାଏ । ପୁରୁଣା ସ୍ମୃତି ସବୁ ତାଜା ହୋଇଯାଏ, ମୁଁ ଓହ୍ଲେଇଯାଏ ସେଇ ରାସ୍ତାକୁ ଯେଉଁଠି ଦିନେ ତୁମେ ଆଉ ମୁଁ ଚାଲୁଥିଲେ ଏକ ଅନିର୍ଦ୍ଦିଷ୍ଟ ଲକ୍ଷ ପଥ ନେଇ । ଆଗକୁ ଆଗକୁ ଆଖି ପାଉନଥିବା ଲମ୍ବା ରାସ୍ତା, ଦୁଇ ପାର୍ଶ୍ବରେ ଦେବଦାରୁଙ୍କ କଂଅଳ ଡାଳରେ ପକ୍ଷୀମାନଙ୍କ କୂଜନ । କେତେ ରଙ୍ଗୀନ ଥିଲା ନା ସେ ଦିନ ??? ଆମେ ହଜିଯାଉଥିଲେ କେଉଁ ଏକ ସ୍ୱତନ୍ତ୍ର ପୃଥିବୀର  ଅନ୍ତ ସୀମାରେଖା ରେ, ବୋଧ ହୁଏ ଆଜି କେବଳ ସେଇ ସୀମାରେଖା ଟି ରହିଯାଇଛି ଆମ ଦୁହିଙ୍କ ଭିତରେ । 

ବାପା ମୋତେ ନେଇ ଆସନ୍ତି ଭୁବନେଶ୍ବରରୁ ଅଇଁଠାପଲି ଆଉ ତମେ ରହି ଯାଅ ସୁଦୂର ସେଇ ଗୋଲାମ ନଗରୀ ରେ । ତା ପରଠୁ କେତେ ଖୋଜିଛି ତମକୁ, ଅନେକ ଚିଠି ଯାଇ ଫେରି ଆସିଛି ବିନା ଉତ୍ତରରେ । ମୋର ଅନିଚ୍ଛା ସତ୍ତ୍ବେ ବାପା ମାଙ୍କ କଥା ରଖି ଧରି ନେବାକୁ ହୁଏ ପ୍ରତୀକ ବାବୁଙ୍କ ହାତ । ସଂସାରର ସରଳ ସୁଧକଷା ମଝିରେ ଏମିତି  ବାନ୍ଧି ହୋଇ ଯାଇଛି ଯେ ଭୁଲିଗଲିଣି ଆମର ସେ ଅଛିଣ୍ଡା ଗଣିତ, ଯାହାର ପ୍ରତି ପୃଷ୍ଠାରେ ଲେଖା ଥିଲା ସଞ୍ଚିତା ଆଉ ଜଗନ ।  ବୋଧ ହୁଏ ବିହିଙ୍କର ଆଶା ସେଇଆ ହିଁ ଥିଲା । ସବୁକିଛି ତ ପାଇଛି ଜୀବନରେ ଖାଲି ଯାହା ଶେଷ ଅବଶୋଷ ଅନ୍ତତଃ ମୃତ୍ୟୁ ପୂର୍ବରୁ ମନଭରି ଦେଖିନିଅନ୍ତି ତମକୁ, ପାଇଯାଆନ୍ତି ପୂର୍ଣ୍ଣତା ମୋ ଜନ୍ମର ।  

ସସ୍ମିତା ବେହେରା
ସୋଲର, ଛତିଆ, ଯାଜପୁର