ବିଶ୍ୱଜିତ ନାୟକ ଗୋଟେ ନାମିଦାମୀ କମ୍ପାନୀର ମାଲିକ । ଭଲ ରୋଜଗାର  । ୩୫ ବର୍ଷ ବୟସରେ ସେ ବିବାହ କରନ୍ତି ଶିଳ୍ପପତି ବିଜୟ ରାଉତଙ୍କ ଝିଅ ମମତାଙ୍କୁ । ବିବାହ ପରେ ସିଏ ଏକ ନୂଆ ସ୍ବପ୍ନ ଦେଖନ୍ତି । ତାଙ୍କର ପୁଅଟିଏ ହେବ,କମ୍ପାନୀର ଦାୟିତ୍ୱ ବୁଝିବ । ଏମିତି ଅନେକ କିଛି । ଦିନ ପରେ ଦିନ ବିତିଚାଲେ । ମମତା ହୁଅନ୍ତି ଗର୍ଭବତୀ । ଘରେ ଖେଳିଯାଏ ଏକ ଖୁସିର ମହଲ । 
     
ଦିନେ ରାତିରେ ଶୋଇଥିବା ବେଳେ ମମତା ବିଶ୍ୱଜିତଙ୍କୁ ପଚାରିଲେ , କହିଲ ଆମର ପୁଅ ହେବ ନା ଝିଅ । ବିଶ୍ୱଜିତ କହିଲେ ମୋର ପୁଅ ଦରକାର ଯିଏ ମୋ ଅନ୍ତେ ମୋ କମ୍ପାନୀର ସବୁ ଦାୟିତ୍ୱ ନେଇ ପାରିବ । ମମତା କହିଲେ କାହିଁ ଆଜି କାଲି ଝିଅ ମାନେ କେଉଁ ଗୁଣରେ କମ କି । ଆଜିକାଲିତ ଝିଅ ମାନେ ସବୁ କିଛି କରି ପାରୁଛନ୍ତି । ଦେଖ ଦ୍ବିତୀ ଚାନ୍ଦ ଆଉ ସାନିଆ ମିର୍ଜା ପରି ଅନେକ ଝିଅ ଆମ ଦେଶର ନାଆଁ ରଖୁଛନ୍ତି । ବିଶ୍ୱଜିତଙ୍କ ମୁହଁରେ ଖେଳିଯାଇଥିଲା ବିରକ୍ତିର ଭାବ । ସିଏ ପ୍ରଶ୍ନ କରିଥିଲେ ଦୁନିଆଁରେ ଯେତେଜଣ ଶିଳ୍ପପତି ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଝିଅ ଅଛନ୍ତି ତୁମେ କହିପାରିବ । ମୋର ପୁଅ ହିଁ ଦରକାର । ମମତା ଆଉ କିଛି କହିନଥିଲେ କିନ୍ତୁ ମନରେ ଖେଳିଯାଇଥିଲା ଏକ ଅଜଣା ଭୟ । ଯଦି ଝିଅଟିଏ ହୁଏ ତାହେଲେ ବିଶ୍ୱଜିତ ତା ପ୍ରତି କିଛି କଠୋର ନିଷ୍ପତ୍ତି ନେଇ ଯିବେନିତ ? 
    
ସେଦିନ ବିଶ୍ୱଜିତ କହିଥିଲେ ଚାଲ ଆମେ ଡାକ୍ତରଙ୍କ ପାଖକୁ ଯିବା । ଆଉ ଦେଖିଆସିବା ତମ ପେଟରେ ଥିବା ସେହି ଛୁଆଟି ଝିଅ ହେବ ନ ପୁଅ । ମମତା ଯେତେ ବୁଝେଇଥିଲେ । ଗର୍ଭ ସମୟରେ ଲିଙ୍ଗ ନିରୂପଣ କରିବା ଏକ ଅପରାଧ । ଏହା ଧରା ପଡିଲେ ଜେଲ ହୋଇଯିବାର ସମ୍ଭାବନା ମଧ୍ୟ ଅଛି । ବିଶ୍ୱଜିତ କିନ୍ତୁ ବୁଝିବାକୁ ନାରାଜ । କହିଲେ ମୋର ଜଣେ ସାଙ୍ଗ ଏହି ବିଭାଗର ଡାକ୍ତର ଅଛିନ୍ତି ମୁଁ ତାଙ୍କ ସହିତ କଥା ହୋଇଛି ସେ ତାଙ୍କ କ୍ଲିନିକକୁ ଯିବା ପାଇଁ ଆମନ୍ତ୍ରଣ କରିଛନ୍ତି । ନିଜର ଅନିଚ୍ଛା ସତ୍ତ୍ୱେ ବିଶ୍ୱଜିତ ନିଜର ପତ୍ନୀ ମମତାଙ୍କୁ ନେଇ ଡାକ୍ତରଙ୍କ ପାଖକୁ ବାହାରି ପଡିଲେ ।
ଡାକ୍ତର ଅନେକ ପରୀକ୍ଷା ନିରୀକ୍ଷା ପରେ ଝିଅଟିଏ ହେବ ବୋଲି କହିଥିଲେ । ଆଉ ବିଶ୍ୱଜିତ ଆଗଭର ହୋଇପଡିଥିଲେ କନ୍ୟାଭ୍ରୁଣ ହତ୍ୟା କରିବାପାଇଁ । ଡାକ୍ତର ମନା କରିବାରୁ ତାଙ୍କୁ ମୋଟା ଅଙ୍କର ଅର୍ଥ ଲାଞ୍ଚ ଯାଚି ତାଙ୍କୁ ରାଜି କରାଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ଏ କାମ ସେ ଦିନରେ ନକରି ରାତିରେ କରିବେ  । ସେଥିପାଇଁ ବିଶ୍ୱଜିତ ନିଜର ଧର୍ମପତ୍ନୀଙ୍କୁ ଡାକ୍ତରଙ୍କ ପାଖରେ ଛାଡି ଘରକୁ ଫେରିଲେ । ଆଉ ଦେଖିଲେ ତାଙ୍କ ଘର ଆଗରେ ଏକ ଛୋଟ ଝିଅ ବସି କାନ୍ଦୁଛି । ତା ପାଖକୁ ଯାଇ ପଚାରିଲେ ଆରେ ତୋ ଘର କୋଉଠି, ଏଠି ବସି କାନ୍ଦୁଛୁ କଣ ପାଇଁ । ପିଲାଟି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ଆଉ କହିଲା । ବାବୁ ମୋତେ ଆମ ଘରେ ରଖିବାକୁ ନାରାଜ । ଦୁଇ ଦିନ ହେଲା ଘରୁ ବାହାର କରି ଦେଇ କହିଲେ ଯା ପରଘରେ କାମ କରି ପଇସା ଆଣିବୁ । ତୁ ତ ଝିଅ ପିଲାଟେ ଆମ ମୁଣ୍ଡରେ ବୋଝ ହୋଇ ରହିବୁ କାହିଁକି ଆଜି ଠାରୁ ସିନା କାମ କଲେ ଯାଇ ଶିଖି ପାରିବୁ । ପାଠ ପଢା କଥା କହିଲେ ମୋତେ ମାରନ୍ତି ଆଉ କୁହନ୍ତି, ତୋତେ ଲାଜ ଲାଗୁନି ତୁ ଝିଅ ପିଲାଟେ ପାଠ ପଢି କଣ ନିଆଲ କରିବୁ । ମୋ ଭାଇକୁ ସେମାନେ ବଡ଼ ସ୍କୁଲରେ ପାଠ ପଢ଼ାଉଛନ୍ତି । ନୂଆ ନୂଆ ଜମା କିଣି ଦେଉଛନ୍ତି କହୁଛନ୍ତି ତୁ ତ ଆମର ନାଁ ରଖିବୁ । ବାବୁ ସତ କହିଲେ ଝିଅଟିଏ ହୋଇ ଜନ୍ମ ନେବା କଣ ପାପ ? ଏଥିପାଇଁ କଣ ଆମେ ଦାୟୀ ? ଆମେ ଝିଅ ହୋଇ ଜନ୍ମ ନେବା ପଛରେ କଣ ଆମରି ହାତ ଅଛି ? ସମସ୍ତେ ଏମିତି ଭାବି ଆମକୁ ପାଠ ନପଢେଇଲେ ଆମକୁ ଭଲ ନପାଇଲେ ଆମେ ବଡ଼ ହେବୁ କେମିତି, ଆଉ କେମିତି ବାପା ମାଆଙ୍କ ନାଁ ରଖିବୁ । ଆପଣତ ବହୁତ ବଡ଼ ଲୋକ ଆପଣ ଥରେ ଚିନ୍ତା କରି କୁହନ୍ତୁତ ? 
     
ଦୁଇ ଦିନ ହେଲା କିଛି ଖାଇନି ବାବୁ,ଆପଣ ଯଦି ଟିକେ ଦୟା କରନ୍ତେ କିଛି ଟିକେ ଖାଇବାକୁ ଦେଇ ପାରନ୍ତେ ଆପଣଙ୍କ ମଙ୍ଗଳ ହୁଅନ୍ତା ବାବୁ । କିଛି ନହେଲେ ବାସି ରୁଟି ଖଣ୍ଡେ ଦେଲେ ଚଳିବ । କେଜାଣି କାହିଁକି ବିଶ୍ୱଜିତଙ୍କ କାଲିଜାକୁ ଯେମିତି କେହି ଜଣେ ଛୁରୀ ମାରିଲା ପରି ଲାଗିଲା । ଆଣ୍ଠେଇ ପଡିଲେ ସେହି ଝିଅଟି ପାଖରେ କହିଲେ ତୁ ନିଶ୍ଚିତ ପାଠ ପଡ଼ିବୁ । ତୁ ମୋରି ପାଖରେ ରହିବୁ । ମୁ ତୋତେ ବଡ଼ ମଣିଷ କରିବି । ମରୁଭୂମିରେ ପତ୍ର କଅଁଳିବାର ସମ୍ଭାବନା ଝିଅଟି ଓଠରେ ଖେଳାଇ ଦେଇଥିଲା ଲୁହ ଭରା ଏକ ହସର ଝଲକ । ତାକୁ ନେଇ ଘର ଭିତରକୁ ଗଲେ । ଫ୍ରିଜରେ ଥିବା କିଛି ଫଳମୂଳ ତାକୁ ଖାଇବାକୁ ଦେଲେ ଆଉ ଆସି ବସିପିଡ଼ିଲେ ନିଜ ବେଡ଼ରୁମରେ । ଶୀତ ସକାଳଟାରେ ବି ବିଶ୍ୱଜିତଙ୍କ କପୋଳ ଦେଶରେ ଅସଂଖ୍ୟ ଘର୍ମବିନ୍ଦୁ ......। ବେଡ଼ରୁମର ପାଖରେ ଥିବା ଥୁଣ୍ଟା ଆମ୍ବଗଛ ଉପରୁ ଭାସି ଆସୁଥିବା ଡାମରାକାଉର କର୍କଶ ରାଵ ଖୁବ ଅସହ୍ୟ ବୋଧ ହେଉଛି ତାଙ୍କୁ । ଅନେକ ଅସମାହିତ ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ଚାଲିଛନ୍ତି ସିଏ ନିଜ ଭିତରେ । ହଠାତ ଟେଲିଫୋନ କ୍ରିଙ୍ଗ କ୍ରିଙ୍ଗ ଆବାଜରେ ନିଜକୁ ପ୍ରକୃସ୍ଥିତ କରିନେଲେ ବିଶ୍ୱଜିତ ....।
     
ଡାକ୍ତର ସୁବୋଧ ଫୋନ କରିଥିଲେ ଆଉ ବିଶ୍ୱଜିତଙ୍କ ଶେଷ ନିଷ୍ପତ୍ତି ଶୁଣିବାକୁ ଚାହୁଁଥିଲେ । ଡାକ୍ତର ସୁବୋଧ କିଛି କହିବା ପୂର୍ବରୁ ବିଶ୍ୱଜିତ କହିଥିଲେ ମୁଁ ଆଉ ସେ ଭୁଲ କରିବାକୁ ଚାହୁଁନି । ସେହି କନ୍ୟା ହିଁ ହେବ ମୋର ଆଉ ଏକ ଭବିଷ୍ୟତ । ମୁ ବହୁତ ବଡ଼ ଏକ ଅପରାଧ କରିବାକୁ ଯାଉଥିଲି । କୁନି ଝିଅଟିଏ ଠାକୁରାଣୀ ରୂପରେ ମୋ ଅଗଣାକୁ ଆସି ମୋର ଆଖି ଖୋଲି ଦେଇଛି । ଝିଅ ହୋଇ ଜନ୍ମ ନେବା ସେମାନଙ୍କର କଣ ଅପରାଧ ଯେଉଁଠି ପାଇଁ ଫୁଲଟିଏ ହୋଇ ଫୁଟିବା ପୂର୍ବରୁ ସେମାନେ ଝଡି ପଡିବେ । ସେହି କନ୍ୟା ସନ୍ତାନର ସୁସ୍ଥ ଆଉ ନିରାପଦ ପ୍ରସବ ପାଇଁ ଯାହା କିଛି ଦରକାର ସବୁ ପ୍ରଦାନ କରି ଦିଅନ୍ତୁ । ମୁଁ ଏଇ ଯାଇ ଆପଣଙ୍କ ପାଖରେ ପହଂଚୁଛି । ଡାକ୍ତର ସୁବୋଧ ଖୁସିରେ ଆତ୍ମହରା ହୋଇ ପଡିଲେ । କହିଲେ ସମସ୍ତେ ଲୋକ ଯଦି ଏତିକି ବୁଝି ପାରନ୍ତେ । ତାହେଲେ ଦୁନିଆଟା କେତେ ମଧୁମୟ ହୋଇ ଜାନ୍ତାନି ସତେ ।

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳ ହାଟ, ପ୍ରୀତିପୁର, ଯାଜପୁର
ମୋ - ୮୮୯୨୩୦୧୧୪୩