ଆଦିମ ମାନବ ଥିଲା ଯାଯାବର
ଅସଭ୍ୟ ଓ ଅଶିକ୍ଷିତ
ଉଲଗ୍ନ ମର୍କଟ ପଶୁପ୍ରାୟ ଭୁଞ୍ଜି
ହେଉଥିଲା ଆନନ୍ଦିତ ॥
ଚଳଣି ଚରିତ୍ର ବଦଳିଲା ଧିରେ
ବିଜ୍ଞାନ ଯାଦୁ ସ୍ପର୍ଶରେ
ଉନ୍ନତ ହେବାକୁ କିଏ ବା ଡାକିଲା
ପରିବର୍ତ୍ତନ ସୁଅରେ ॥
ଗୁରୁଙ୍କ ଆଶ୍ରମ ଗାଁ ଅବଧାନ
ଛାଡିଗଲା ବିଦ୍ୟାଳୟ
ଗୁରୁ ବା ଶିକ୍ଷକ ମେଳରେ ପଢିଲା
ଫିଟାଇ ଶିକ୍ଷାବଳୟ ॥
ଅତ୍ୟାଧୁନିକତାର ସ୍ପର୍ଶରେ ବିଜ୍ଞାନ
ଗଢିଲା କେତେ କମ୍ପ୍ୟୁଟର୍
କେତେ କମ୍ପ୍ୟୁଟର ସଂଯୋଗେ କଲାସେ
ଈଣ୍ଟରନେଟ୍ କାରବାର ॥
ପୁରୁଣା ପଦ୍ଧତି ତ୍ରୁଟିକୁ ସୁଧାରି
ଶିକ୍ଷଣ କାର୍ଯ୍ୟପଦ୍ଧତି
ସର୍ବଶିକ୍ଷା ଦେଲା ନୂଆ ଦିଗ୍ ଦର୍ଶନ
ଯତନେ କୂଶଳେ ଅତି ॥
ଏନ୍ ସି ଏଫ୍ ଆଉ ସି ସି ଇ ଆସିଲା
ବଢିଲା ଶିକ୍ଷାର ମାନ
ତା ସାଥେ ନବୀନ ଗୁରୁ ଇଣ୍ଟରନେଟ୍
ଅପୂର୍ବ ତା ଅବଦାନ ॥
ଗୁଗୁଲ୍ ମାରିସେ ନିମିଷକେ ଦେଲା
ଅଗଣିତ ଶିକ୍ଷାରାଶି
ଗଣିତ ବିଜ୍ଞାନ ଇତିହାସ ସାଥେ
ଭୂଗୋଳ ସଂସ୍କୃତ ମିଶି ॥
କି ଇଂରାଜୀ କି ଓଡିଆ ହିନ୍ଦୀରେ
ଯେତେ ପାର ଶିକ୍ଷା ପାଇ
ଇଣ୍ଟର୍ ନେଟ୍ କଲା ସବୁ ସମାଧାନ
ସମନ୍ୱିତ ସୂତ୍ର ଧ୍ୟାୟୀ ॥
ଘରେ ବସି ବସି କଲା ବିଶ୍ଳେଷଣ
ଅଭିନବ ପଦ୍ଧତିକୁ
ବିଷୟ ହେଉ ବା ସହ ବିଷୟ କି
ବ୍ୟକ୍ତି ସମାଜ ଗୁଣକୁ ॥
ସାମାଜିକ ସାଥେ ଆଧ୍ୟାତ୍ମିକ ସୂତ୍ରେ
ନୈତିକ ଶିକ୍ଷାର ରଙ୍ଗେ
ଶାରୀରିକ ଆଉ ମାନସିକ ତନୁ
ବୌଦ୍ଧିକ ଚିତ୍ର ତରଙ୍ଗେ ॥
ସୂଚାଇଲା ପାଣିପାଗ,ପ୍ରାକୃତିକ
ବିପର୍ଯ୍ୟୟର ସୂଚନା
ଛୋଟିଆ ଶିଶୁଟା ଇ ଶିକ୍ଷା ଯୋଗେ
କଲା ସତର୍କ ବର୍ଣ୍ଣନା ॥
ବଞ୍ଚିବା ବଢିବା ସୁଖରେ ରହିବା
ଶୈଳୀ ଦେଲା ଇ-ଶିକ୍ଷା
ସରସ ସୁନ୍ଦର କରିଲା ଜୀବନ
ତେଜି ମନର କୁ ଶିକ୍ଷା ॥
ମହିଳା ଦିବ୍ୟାଙ୍ଗ ଖେଳ ମନଖୁସି
ଦୀନ କିବା ଦୁଃଖି ପାଶେ
ଆକାଶ ଧରିତ୍ରୀ ମେଦିନୀକୁ ଚିହ୍ନି
ଲୁହ ପୋଛିବାକୁ ବସେ ॥
ସଙ୍ଗୀତ ସଂସ୍କୃତି ପରମ୍ପରା ଶିକ୍ଷା
ଚଳଚ୍ଚିତ୍ର ମଧ୍ୟେ ବସି
ଭରିଲା ଆନନ୍ଦ ରଙ୍ଗର ମହଲ
ସ୍ନେହେ ଶ୍ରଦ୍ଧା ପ୍ରୀତି ମିଶି ॥
ବିନା ଶିକ୍ଷକରେ ବିନା ପୁସ୍ତକରେ
ଦେଉଛି ଅପୂର୍ବ ଜ୍ଞାନ
ଧନ୍ୟ ଇ-ଶିକ୍ଷା ଧନ୍ୟ ତୋ ମହିମା
କେ କରି ପାରିବ ଗାନ ॥
ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ ଉ. ପ୍ରା. ବିଦ୍ୟାଳୟ,
ତେଇକୋଇ, କେନ୍ଦୁଝର, ପିନ୍-୭୫୮୦୧୯
0 Comments
You can write now your valuable comments here. Off-topic comments may be removed or deleted without prior notice.