ଅପେକ୍ଷା ରେ ସକାଳରୁ ରାତି ଆସିହେଲା
ହେଲେ ଆସିଲାନି ତୁମର ମେସେଜ
ଅବା ଗୋଟେ ସିଂଗଲ କଲ୍...
ଏଇ କିଛି ଦିନ ହେବ
ତୁମେ ଖୁବ୍ ବଦଳି ଯାଇଛ
ହୁଏତ ତୁମ ଜୀବନରେ ମୋର ଅବଶ୍ୟକତା ଆଉ ଅନୁଭବ କରିପାରୁନି...
ଦେଖିପାରୁନି ତୁମର
ସେ ଆଲିଙ୍ଗନରେ ପୁର୍ବବତ୍ ନିବିଡ଼ତା..
ହେଲେ ସ୍ପଷ୍ଟ ବାରି ହୋଇ ପଡୁଛି
ତୁମର ସେ ମିଛ ହସ ପଛରେ
ଢାଙ୍କି ଥିବା ଘୃଣା ର ପରଦା...
ଅନେକଥର ତୁମ ଭିତରେ
ହଜି ଆବିଷ୍କାର କରିଛି ନିଜକୁ
ହେଲେ ଏବେ କାହିଁ
ସେଇ ପ୍ରଶସ୍ତ ଛାତି ଉପରେ
ମୁଣ୍ଡ ଆଉଜିଲା ବେଳେ
ଏତେ ସଂକୀର୍ଣ୍ଣତା...???
ସାତ ଜନ୍ମ ପାଇଁ ହାତରେ ହାତ ଛନ୍ଦି
କଥା ଦେଇଥିବା
ତୁମର ହାତ  ଯୋଡାକ
ଆଜି କାହିଁ କେତେ ଦୂରରେ...
ସମ୍ପର୍କରେ ସୁନା ପର
କଁଅଳିବା ଆଗରୁ
ତୁମେ ଆଙ୍କିଦେଉଛ
ଆମ ଭିତରେ ସୀମାରେଖା...
ଅନ୍ତଃହୀନ ଦୂରତାର
ପରିଧି ଉପରେ ଠିଆ ହୋଇ
ତୁମକୁ ଛୁଇଁବାର
ଚେଷ୍ଟା ମୋର ବିଫଳ ହେଉଛି...
କାରଣ ତୁମେ ପାଲଟି ଯାଇଛ ବ୍ୟସାର୍ଦ୍ଧ ବିହୀନ ବୃତ୍ତ ର କେନ୍ଦ୍ରବିନ୍ଦୁ...
ଆଉ ମୁଁ ଖୋଜି ଚାଲିଛି
ଭୂମିରୁ..... ଭୂମା
ପାହାଡରୁ... ପାରାବାର...
ଝୁରି ଝୁରି ଝଡ଼ିଯିବାଟା
ଖାଲି ଯାହା ସାର ହୁଏ
ଜୀବନ ର ଚଲାବାଟରେ....!!!

ସସ୍ମିତା ବେହେରା 
ସୋଲର, ଛତିଆ, ଯାଜପୁର