ପାଞ୍ଚ ଟଙ୍କା ଦେଇ ଖବର କାଗଜ
ଆଣିଲି ଯାଇ ବଜ଼ାର,
ପାଞ୍ଚଟି ଖବର ଲେଖା ନାହିଁ ଏଠି
ବିଜ୍ଞାପନ ହେଲା ସାର ॥
ଜନତାଙ୍କୁ ଯାହା ଭୁଆଁ ବୁଲାଉଛ
ସଂସ୍ଥା  ସବୁ  ତୁମେ ଜାଣ,
ଖବର ନାଁରେ  ଚାଲିଛି ବେପାର
ସେବା କି ଭଦ୍ର ଲୁଣ୍ଠନ ॥
ପ୍ରଥମ ପୃଷ୍ଠାରୁ ଶେଷ ଯାଏଁ ଖାଲି
ବିଜ୍ଞାପନ ମାଳ ମାଳ,
ଭକୁଆ ବନେଇ ଜନତାଙ୍କ ସହ
ଖେଳୁଛ ବଢିଆ ଖେଳ  ॥
କେତେବେଳେ ଗାଡି କେତେବେଳେ ଟିଭି
କେତେବେଳେ ପୁଣି ଜୋତା,
କେତେବେଳେ ଘର କେତେବେଳେ ବର
କେତେବେଳେ ପୁଣି ଛତା ॥
କୋଚିଂ ସେଣ୍ଟର ଅବା ସେ କ୍ଲିନିକ
ପୁଣି କେବେ ଶାଢ଼ୀ ଦିଶେ ,
ଗହଣା ସାଙ୍ଗକୁ ହୋଟେଲ ର ଛବି
ପୃଷ୍ଠା ପରେ ଭାସି ଆସେ ॥
ଖବର କଣ ଜାଣିବୁ ଦେଶର
ଛବି ଦେଖି ଯାଏ ଦିନ,
ଶେଷରେ କିଲୋକୁ ପାଞ୍ଚ ଟଙ୍କା ନେଇ
ଖାଉଛୁ କିଣିକି ପାନ ॥
 ନିତି ଏକା ପରି ଖବର ଛାପିକି
ହେଇ ଗଲ କି ଅସହ୍ୟ,
ସେଥି ଲାଗି ଏହି ଧନ୍ଦା ଭିଆଇଛ
ନାହିଁ ତୁମ ମନେ ଭୟ ॥
ଜନତା ପଇସା ବରବାଦ କରି 
ସଂସ୍ଥା ଚଲାଅ ଖୁସିରେ,
ମାସକୁ ଦେଢ଼ଶ ଖର୍ଚ୍ଚ  କରି ଆମେ
ବିକୁ ତାକୁ ପନ୍ଦର ରେ ॥ 
ଧନ୍ୟ ତୁମ ଜ୍ଞାନ ଧନ୍ୟ ତୁମ ଦାନ
ଧନ୍ୟ ତୁମରି ଯୋଜନା,
ଦେଶ ସେବାର ଏ ବଢିଆ ପ୍ରକଳ୍ପ
ଅଟେ ସୁନ୍ଦର ନମୁନା ॥

ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର