
(ଜାତୀୟ ଶିକ୍ଷା ଦିବସ ପାଇଁ ପଦେ )
ଶିକ୍ଷା ମାନେ ନୁହେଁ ଖାତା ବହି କାଳି
ଶିକ୍ଷା ନୁହଁଇ ନମ୍ବର,
ଶିକ୍ଷା ନୁହଁଇ ଚାକିରୀ ବ୍ୟାପାର
ଅଥବା ପ୍ରମାଣ ପତର [୧ ]
ଶିକ୍ଷା ମାନେ ନୁହେଁ ଉଚ୍ଚ ପଦ ଆଉ
ସୁନା ରୂପ ତମ୍ବା ପଦକ ,
ଶିକ୍ଷା ନୁହଁଇ ମାନି ଅଭିମାନୀ
ଶିକ୍ଷା ନୁହଁଇ ଶାସକ [୨]
ଶିକ୍ଷା ଅଟଇ ଦେଶ ସେବା ଆଉ
ଜଗତ ମଙ୍ଗଳ ପାଇଁ,
ଶିକ୍ଷା ଅଟଇ ନରସେବା ଆଉ
ସେନେହ ବାଣ୍ଟିବା ପାଇଁ [୩ ]
ଶିକ୍ଷା ଅଟଇ ଦୁଖୀରଙ୍କି ଦେଖି
ସାହାଯ୍ୟ କରିବା ପାଇଁ ,
ଶିକ୍ଷା ଅଟଇ ଅକୁହା କଥାକୁ
ହୃଦୟ ବୁଝିବା ପାଇଁ [୪ ]
ଶିକ୍ଷା ଅଟଇ ଦାନ ଆଉ ଦୟା
ଶିକ୍ଷା ଅଟଇ ଏକତା ,
ଶିକ୍ଷା ଅଟଇ ଭାଇଚାରା ଆଉ
ଶିକ୍ଷା ଅଟଇ ମମତା [ ୫ ]
ଶିକ୍ଷା ଅଟଇ ସତ୍ୟ ସଦାଚାର
ଶିକ୍ଷା ଅଟଇ ଅହିଂସା,
ଶିକ୍ଷା ଅଟଇ କର୍ମ ଆଉ ଧର୍ମ
ଶିକ୍ଷା ଅଟଇ ମିମାଂସା [୬ ]
ଶିକ୍ଷା ଅଟଇ ସମାଜ ସୁଧାର
ଶିକ୍ଷା ଅଟଇ ନମ୍ରତା ,
ଶିକ୍ଷା ଅଟଇ ସଂସ୍କାର ଚରିତ୍ର
ଶିକ୍ଷା ବୁଝିବାର କ୍ଷମତା [୭]
ଶିକ୍ଷା ଅଟଇ ମଣିଷପଣିଆ
ଶିକ୍ଷା ଅଟଇ ବିବେକ ,
ଶିକ୍ଷା ଅଟଇ ସହାନୁଭୂତି
ଶିକ୍ଷା ଅଟଇ ସୁସମ୍ପର୍କ [୮ ]
ସସ୍ମିତା ସାହୁ
ଜେଲ ରୋଡ, ନାଶିକ, ମହାରାଷ୍ଟ୍ର
