
ବାକ୍ୟବୀର ନୁହଁ କର୍ମବୀର ସିଏ
ସ୍ୱଚ୍ଛତା ତାହାର ଧର୍ମ
ଧୂଳି ପତ୍ରଠାରୁ ମଳମୂତ୍ରଯାଏ
(ଛୁଇଁ)ସଫା କରିବା ତା କର୍ମ॥
ହୀନ ମନ୍ୟତା ତା ହୃଦୟେ ନ ଥାଏ
କରେ ସବୁ ପରିଷ୍କାର
ହୀନ ମଣିଷଟା ଘୃଣା କରି ତାକୁ
ରଖେ ଘରଠୁ ବାହାର॥
ଚଟାଣ ଖରକି କାନ୍ଥ ଛାତ ଛୁଇଁ
ସଫା କରେ କି ସୁନ୍ଦର !
ଜିନିଷକୁ ଝାଡି ମଇଳା ଖୋଲଇ
ଚଳନ ତା'ର ଚଞ୍ଚଳ॥
ପତ୍ରରେ ଘାସରେ କଞ୍ଚିରେ ଗୁଳ୍ମରେ
ଦିଏ ଯତନେ ଯେ ଗଢି
କୁନି କାରିଗର ହସେ ମୋ ରାଇଜେ
ସ୍ୱଚ୍ଛତାର ସିଡି ଚଢି॥
ନିର୍ମଳ କରି ସେ ଖୁସି ଭରିଦିଏ
ରଖେ ସୁସ୍ଥ ଓ ନୀରୋଗ
ପୃଷ୍ଠରକ୍ଷକ ସେ ଘରଆଗେ ଥାଏ
ହୋଇ ସତତଃ ସଜାଗ॥
ପ୍ରଭାତୁ ଉଠିଣ ସରାଗରେ ଛୁଇଁ
କରୁ ସଫା ପରିବେଶ
ସ୍ୱଚ୍ଛ ସୁନ୍ଦରକୁ ଆଖିଛୁଇଁ ଦେଲେ
ମନ ହୁଅଇ ହରଷ॥
ଝାଡୁ ସିନା ସ୍ୱଚ୍ଛ କରେ ପରିବେଶ
ବିବେକ କରେ ମନକୁ
ଶୁଦ୍ଧ ଭାବନାରେ ମାନବିକତାରେ
ଖରକ ଅନ୍ତଃ ଆତ୍ମାକୁ॥
ନାରାୟଣ ଚନ୍ଦ୍ର ସେନାପତି, କେନ୍ଦୁଝର
