
ବାପାଙ୍କ ଜିଦି ଜନମ ବେଦି
ପରେ ଦେଖିବି ଦିଅଁ ।
କହିଲା ବୋଉ ସତେକି ଆଉ
ଦେଖିବା କଳା ମୁହଁ ।।
ସାଆନ୍ତ ପଣେ ସାଆନ୍ତ ଜଣେ
ମୋ ପୁରୀ ସରକାର ।
ଦାସ ପଣରେ ଡାକିଲି ଥରେ
ସୁଦୟା ପ୍ରଭୁ କର ।।
ଭକତ ବନ୍ଧୁ କରୁଣା ସିନ୍ଧୁ
ବୁଝିଲେ ଭକ୍ତ ମନ ।
ତିନି ଜଣଙ୍କୁ ଶଙ୍ଖ କ୍ଷେତ୍ରକୁ
ଡାକିଲେ ନାରାୟଣ ।।
ଲାଗିଲା ଡୋରି ଆସିଲି ପୁରୀ
ବାପା ବୋଉଙ୍କୁ ନେଇ ।
ଚକା ନୟନ ଦେଲେ ଦର୍ଶନ
ସଙ୍ଗେ ଭଉଣୀ ଭାଇ ।।
ବୟସ ଅଶି ଅଳପ ହସି
କହିଲେ ବାପା ଧିରେ ।
ଭାଗ୍ଯରେ ଥିଲା ଦର୍ଶନ ହେଲା
ଆଡପ ମଣ୍ଡପରେ ।।
ଏତିକି ଭାବ ଥାଉ ମାଧବ
ଜୀବନ ଯାତ୍ରା ପଥେ ।
ଅର୍ଜୁନ ସଖା ଦେଉଥା ଦେଖା
ଭାଇ ଭଉଣୀ ସାଥେ ।।
ଗୋପୀନାଥ ସେଠୀ
ବାଘମାରୀ, ଖୋର୍ଦ୍ଧା
