
ତୋର ଶ୍ରୀପଦରୁ ଧୂଳି ଟିକେ ଦେ ମା'
ସେ ଧୂଳି ମୁଣ୍ଡରେ ମାରି
ପବିତ୍ର କରିବି ଆତ୍ମା ହେ ବାଗ୍ଦେବୀ
ବାହିବି ଜୀବନ ତରୀ॥
ତୋ ଶୁଭ୍ର ବସ୍ତ୍ରରୁ ଅବା ହଂସ ପରୁ
ଧବଳ ରଙ୍ଗକୁ ବୋଳି
ପରିବେଶ ମନ ନିର୍ମଳ କରିବି
ସ୍ୱଚ୍ଛତା ପତାକା ଧରି॥
ତୋ ବୀଣା ସ୍ୱନରୁ ସ୍ୱର ଖଞ୍ଜିଦେ ମା'
ସେ ସ୍ୱର କଣ୍ଠରେ ଧରି
ରୋଗୀ ଦୁଃଖି ଶୋକି ହୃଦୟେ ଭରିବି
ମଳୟ ଚନ୍ଦନ ପରି॥
ତୋ ବେଦ ଶାସ୍ତ୍ରରୁ ଓଁ କାର ଦିଅ ମା
ଆନନ୍ଦରେ ଗାଇ ଗାଇ
ଜ୍ଞାନ ଗଙ୍ଗା ଢାଳି ସଂସାର ଅଜ୍ଞାନ
ତମସା ଦେବି ଦୂରେଇ॥
ତୋ ବହି ପୃଷ୍ଠାରୁ ବିଦ୍ୟା ବୁଦ୍ଧି ଦେ ମା'
ସରାଗେ ଦେବି ମୁଁ ପଢି
ଅପୂର୍ବ ବିଦ୍ୟାକୁ ଜୀବନରେ ଧରି
ଜିଣିଯିବି ବିଦ୍ୟାପୁରୀ॥
ତୋ ଆଖିରୁ ଟିକେ କଜ୍ଜଳ ଦେ ମା'
ମୋ ଆଖିରେ ଦେବି ବୋଳି
ସେ କଳା ମୁଗୁନି କଳାରେ କୋଣାର୍କ
ଗଢିବି ମାରିବି ଚୁଳି॥
ତୋ କର୍ଣ୍ଣରୁ ରତ୍ନ କୁଣ୍ଡଳ ଦେ ମା'
ମୋ ଗଳାରେ ମୁକ୍ତାହାର ଦେ
ତା ଠାରୁ ତ ବଳି ତୋ ଶ୍ରଦ୍ଧା ଆଶିଷେ
ମୋ ସଂସାର ସରଗ କରିଦେ॥
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର
