
ଭୀମ ଅଜା ଆଜି ଆଣି ଥିଲା ମାଛ
ଛାଡଖାଇ କରିବାକୁ,
ମାଳତୀ ଆଈ କୁ ଦେଇ ସେ କହିଲା
ସୁଆଦିଆ ରାନ୍ଧିବାକୁ II
ଆଈ ତାକୁ ନେଇ କଟା କଟି କରି
ଧୋଇ ରଖିଲା ପିଣ୍ଡାରେ ,
ସୋରିଷ ବାଟଣ କରିବାକୁ ଗଲା
ଶିଳ ଥିଲା ରୋଷ ଘରେ II
ବାଟି ବୁଟି ଆଈ ଆସିଲା ବେଳକୁ
ମାଛକୁ ପାଇଲା ନାହିଁ ,
କିଏ ନେଇ ଗଲା ମାଛକୁ ଆମର
ହାଉଳି ଛାଡିଲା ଆଇ II
ଆଇ ଡାକ ଶୁଣି ଅଜା ଆସିଗଲେ
ବସିଥିଲେ ବାଟଘରେ,
କଣ ହେଲାକି କୁହାଟ ଛାଡୁଛୁ
ତୁଛାକୁ ଦିନ ଅଧରେ II
କଣ କହିବି ସବୁ ସରିଗଲା ନାହିଁ
ସେଇ ମାଛ କଟା,
ଏଇଠି ଥୋଇକି ଯାଇଥିଲି ମୁହିଁ
ଆଣିଲା ବେଳକୁ ବଟା II
କଣ କରିବି ବୁଦ୍ଧି ଦିଶୁନାହିଁ
ଖାଇବା ଏବେ କଣ ,
ଆମିଷକୁ ଭୁଲି ଖାଇବ କି ତୁମେ
ସାରୁ ପୋଇ ବାଇଗଣ II
ଭୀମ ଅଜା ରାଗେ ତମ ତମ ହୋଇ
ବାହାରକୁ ଚାଲିଗଲା ,
ଗାଁ ଆମ୍ବ ତୋଟା ପାଖରେ ଗାମୁଛା
ପାରି ସେଠି ଶୋଇ ଗଲା II
ଶୋଇଛିକି ନାହିଁ ଘଡି କି ଦି ଘଡି
ନିଦ ତାର ଭାଙ୍ଗିଗଲା ,
ନାକକୁ ତାର ମାଛଭଜା ବାସ୍ନା
ତୋଟାରେ କାହୁଁ ବାଜିଲା II
ଉଠି ପଡି ଅଜା ପାଦ ଚାପି ଚାପି
ଗଛ ଉହାଡ଼କୁ ଗଲା ,
ସେଇଠାରେ ଗାଁ ଟୋକାଏ ବସିକି
କରୁଛନ୍ତି ହାଲଗୁଲା II
ମାଛଭଜା ସହ ଭାତ ରଂଧାହୁଏ
ତା ସାଙ୍ଗକୁ ପୁଣି ଘାଣ୍ଟ,
ଦେଖିଲା ପାଖରେ ପଡିଛି ଆଈର
ମାଛରଖିଥିବା ପ୍ଲେଟ II
ଅଜା ଏବେ ଜାଣି ପାରିଲା ତା ମାଛ
କେମିତି ହୋଇଲା ଚୋରି,
ଗାଁ ବାଳୁଙ୍ଗାଙ୍କ କାରନାମା ଇଏ
ପକାଇଲା ତାଙ୍କୁ ଧରି II
କହିଲା ହଇରେ ଏଡେ ଅଲାଜୁକ
ମୋ ମାଛ କରିଲ ଚୋରି,
ଛାଡଖାଇ ଭୋଜି କରିବା ପାଇଁକି
କଲ ଏ କି ବାହାଦୁରି II
ଏତେ ସରାଗରେ ଗୋଟେ ମାସ ପରେ
ଆଣିଥିଲି କିଲେ ମାଛ ,
ସବୁ ଆଶା ମୋର ଆଶାରେ ରହିଲା
କରିଦେଲ ମୂଳପୋଛ II
ଅଜା କଥାଶୁଣି ଗାଁ ପିଲାମାନେ
ମନେ ମନେ ଦୁଃଖୀ ହେଲେ,
ଅଜା ଗୋଡ ହାତ ଧରି ପୁଣି ତାଙ୍କୁ
ସମସ୍ତେ ଭୁଲ ମାଗିଲେ II
କହିଲେ ଅଜା ହେ ଦୁଃଖୀ ହୁଅ ନାହିଁ
ଆମ ସାଙ୍ଗେ ଖାଅ ମିଶି,
ଗଲା ବେଳକୁ ଯେ ଆଈ ପାଇଁ ନେବ
ଅଜା ହୋଇ ଗଲେ ଖୁସି II
ମାଉଁସ କସାକୁ ମାଛ ଭଜା ପୁଣି ତା
ସାଙ୍ଗେ ଚିଙ୍ଗୁଡ଼ି ଘାଣ୍ଟ,
ପେଟେ ଖାଇ ଅଜା ଖୁସି ହୋଇଗଲେ
ଆଉଁସି ଥନ୍ତଲI ପେଟ II
ଗଲାବେଳେ ଆଈ ପାଇଁ ନେଲେ ସାଥେ
ସବୁ ତିଅଣରୁ ପୁଣି ,
ଆଈ ଖାଇ ଭାରି ଆନନ୍ଦ ହୋଇଲା
ସବୁ କଥା ଗଲା ଜାଣି II
ଏଇମିତି ଅଜା ଆଇ ମନେଇଲେ
ଛାଡଖାଇ ତାଙ୍କ ଜାଣ,
ମାଛ ଚୋରି ତାଙ୍କ କାମରେ ଆସିଲା
ପାଇଲେ ମାଉଁସ ତୁଣ II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
