ତୁମ ସମ୍ବିଧାନ - ନାରାୟଣ ଚନ୍ଦ୍ର ସେନାପତି

0

ତୁମ ସବୁ ପ୍ରଶ୍ନର ଉତ୍ତର ମୋ ପାଇଁ ହଁ
ତୁମ ବିଚାର ମୋ ପାଇଁ  ସମ୍ବିଧାନ
ଆଚାର ମୋ ପାଇଁ ସମର୍ପଣ
ଦୁଃଖଭିଜା ରିମ୍ ଝିମ୍ ବର୍ଷାର ଉନ୍ମାଦନା ହୋଇ ଆସ
ସୁଖର ଚିବୁକ ହୋଇ ହସିଉଠେ
ସ୍ୱପ୍ନର ଗୋଲାପରାଣୀ କୁଞ୍ଜବନରେ ପ୍ରସ୍ଫୁଟିତ ହୁଏ
ମୁଁ ଫୁଟି ବାଣ୍ଟେ ହେନାର ମହକ
ତୁମ ପ୍ରେମ ଉଦ୍ୟାନରେ..॥
ତୁମ ସବୁ ଆଶାର ପ୍ରତ୍ୟାଶା ମୋ ପାଇଁ ସଜ ଅନୁଭବ
ତୁମ ଚାହାଣୀ ମୋ ପାଇଁ ସମାଧାନର ସୂତ୍ର
ଅଭିମାନ ମୋ ପାଇଁ ଆଲୋଡନର ଚିତ୍ର
ଆକାଂକ୍ଷାର ଭିଜା ଆକାଶରେ ଇନ୍ଦ୍ରଧନୁ ହୋଇ ଯେବେ ଆସ
ବିଶ୍ୱାସର ଅଟ୍ଟାଳିକା ମୁଣ୍ଡଟେକି ହସେ
ଆବେଗର ଗଙ୍ଗାଜଳ ଛିଞ୍ଚି କରେ ପବିତ୍ର
ମୁଁ ତୋଳେ ଶରଧାର ଅନୁପମ ପୁଲକ
ତୁମ ହୃଦୟର ଗାଲିଚାରେ॥
ତୁମ ସବୁ ସ୍ୱପ୍ନର ଅପେକ୍ଷିତ ନାୟକ ମୁଁ ପ୍ରଥମ ଅଙ୍କର
ତୁମ ଉପସ୍ଥିତି ମୋ ପାଇଁ ପ୍ରଫୁଲ୍ଲତା
ସ୍ପର୍ଶ ମୋ ପାଇଁ ଯାଦୁର ଚମକ
ଆସ ଯେବେ ପ୍ରେମ ନଈର ପ୍ରୀତି ଘାଟେ
ମମତାର ଅନୁଭୂତି ସ୍ମୃତି ସ୍ତୁପ ପାଲଟେ
ମୁଁ ରଚେ ସେନେହର ଅପୂର୍ବ ଚମକ
ପ୍ରଣୟର ପଦଚଲା ରାସ୍ତାରେ॥
କିନ୍ତୁ ଯଦି ତୁମ କେଉଁ ପ୍ରଶ୍ନର ଉତ୍ତର ମୋ ପାଇଁ ନାଁ
ମୋ ଭଲପାଇବା ଲୁଚିଯାଏ ତୁମ ଶତ୍ରୁତା ପିରାମିଡ୍ ରେ
ଶତ ସହସ୍ର ସ୍ୱାଧୀନତା ଧକେଇ କାନ୍ଦେ ସ୍ୱେଚ୍ଛାଚାରିତା ଛଳରେ
ନିମିଷକେ ପ୍ରେମର ତାଜମହଲଟା
ଭାଙ୍ଗିତୁଟି ଚୁରମାର୍ ହୁଏ
ମୁଁ ହୋଇଯାଏ ଅଲୋଡା ଅଖୋଜା
ତୁମ କଦର୍ଯ୍ୟ କଦାକାର ଚିନ୍ତାଧାରାରେ॥

ନାରାୟଣ ଚନ୍ଦ୍ର ସେନାପତି,ଶିକ୍ଷକ
ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡିମିରିଆ, ତେଲକୋଇ, କେନ୍ଦୁଝର

Post a Comment

0Comments
Post a Comment (0)