ପାଦ ଚିପି ଚିପି ଆମରି ଗାଆଁକୁ
ଆସିଲାଣି ଶୀତ ମାଉସୀ
କାଲୁଆ ହାତରେ ସବୁରି ଦେହକୁ
ଦେଲାଣି ତ  ସିଏ ଆଉଁସି    ।

ପାହାନ୍ତା ପହରୁ ପାଇଟିକୁ ସାରି
ବୋଉ ମୋ ପଡିଛି ଗାଧୋଇ
ଚଉରା ମୂଳରେ ଜାଳେ ସଂଜବତୀ
ଝୋଟି ମୁରୁଜକୁ ପକେଇ    ।

ଶୀତ ଲାଗିବାରୁ ବୁଢୀ ମାଆ ମୋର
କୁଣ୍ଡେଇ ବସିଛି ଚୁଲିକି
ବଙ୍କୁଲିକୁ ଧରି ଜେଜେ ଆସିଲେଣି
ଖଣ୍ଡେ ବାଟ ପରା ଚାଲିକି    ।

ଶୀତୁଆ ପବନ ପରଶେ କ୍ଷେତରେ
ଧାନ ଗଛ ଖେଳେ ଦୋଳିରେ
ସୂରୁଯ କିରଣେ କାକର ଟୋପାଟି
ଦିଶଇ ମୁକୁତା ଭଳିରେ     ।

ଶୀତ ସକାଳର କଅଁଳ ଖରାଟି
ଦେହକୁ ଲାଗଇ ବଢିଆ
ନିଆଁ ପୂଇଁବାକୁ ଖଳାକୁ ଦଉଡେ
ଆମ ଘର ପାଖ ଧଡିଆ     ।

ଦେହରେ ପଡିଲେ ପାଣିର ଛିଟିକା
ହାତ ଗୋଡ଼ ଥରି ଉଠେରେ
ସୁନ୍ଦର ଦିଶଇ ବାଡ଼ି ବଗିଚାଟି
ଗଛେ ଫୁଲ ମାନ ଫୁଟିରେ    ।

ନାନା କିସମର ପରିବାରେ ଭରା
ହସୁଅଛି ପରା ଵଜାର
କୁଆଁରପୂନେଁଇ ଦୀପାବଳି ସାଥେ
ଶୀତ ହୋଇଲାଣି ହାଜର   ।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ - ୯୮୫୩୩୫୪୯୩୮