ଅତୁଟ ବିଶ୍ବାସ ଓ ସରଳ ସମର୍ପଣ ଭାବର
ଫେଣ୍ଟା ଫେଣ୍ଟି ଆବରଣ
ନଡା ଓ ମାଟିର ଛାଂଚରେ
କାରିଗରର ଯାଦୁକାରୀ ସ୍ପର୍ଶ
ଝଟକୁଥିବା ଚିକମିକ ଜରିଲଗା ପାଟ
ଲମ୍ବା ଲମ୍ବା ଫୁଲମାଳ ରଂଗ ବେରଙ୍ଗର ,
ଧୂପ ଦୀପ ନୈବେଦ୍ୟର ସୁଗନ୍ଧିତ ବାସ୍ନା
ପୂଜାବେଦୀ ବେଶ୍ ତତ୍ପର ଓ ଚଳଚଂଚଳ
ମନ୍ତ୍ର ପାଠ ର ପବିତ୍ର ମହକ
ଆଳତି ର ସମ୍ମୋହନ
ହୋମ ଅଗ୍ନି ର ଝଲମଲ ଶିଖା
ବ୍ୟପିଛି ସଚରାଚର ଅନ୍ତରରୁ ଅନ୍ତରୀକ୍ଷ
ଭୂମିରୁ ଭୂମା , ଅନ୍ଧାର ରୁ ଆଲୋକ
ସେ ବିରାଜିତା, ଆବିର୍ଭୂତା ମୃଣ୍ମୟୀ ପ୍ରତିମା
ଦେବୀ ଦଶଭୂଜା ।।
ଏତେ କୋଳାହଳ ତୁରୀ ଭେରୀ
ଘଣ୍ଟ ଘଣ୍ଟା ଶଙ୍ଖନାଦ ହୁଳହୁଳି
ଲହଡି ଭାଙ୍ଗୁ ଛି ଭକ୍ତି ର ପ୍ରାବଲ୍ୟ
ଶ୍ରଦ୍ଧାଳୁଙ୍କ ଲମ୍ବାଧାଡି ତୀବ୍ର ପ୍ରତିଯୋଗିତା
ତା ଆଖିରେ ଆଖି ମିଶାଇବାର,
ତା ହସରୁ ଚେନାଏ ସଂଗ୍ରହ କରିବା ପାଇଁ
ଅଦମ୍ୟ ପିପାସା ଓ ସକଳ ପ୍ରଚେଷ୍ଟା
କେଉଁ ଏକ ଆଦିମ କାଳରୁ ଅଦ୍ୟାବଧି
ବହଳିଆ ବିଶ୍ବାସ ର ମଧୁର ଆସ୍ତରଣ ।।
ନଭଶ୍ଚୁମ୍ବି ସୁଉଚ୍ଚ ତୋରଣ ସୁସଜ୍ଜିତ
ଝକମକ ରଂଗୀନ ଆଲୋକ ମାଳାର
ମଖମଲି ଆକର୍ଷଣ ର କୃଷ୍ଣଚୂଡା ଓଢଣୀରେ
ଧରିତ୍ରୀ ରାଣୀର ନବବଧୂ ବେଶ
ସବୁ ଯେମିତି ସମର୍ପିତ, ଆହ୍ଲାଦିତ
ତାଙ୍କର ଶୁଭ ଆବାହନ ପାଇଁ ଶୁଭ ସ୍ବାଗତିକା
ମାଟି ପାଣି ପବନ ଗଛଲତା ପାହଡ ପର୍ବତ
ସବୁଜ କେଦାର ହସହସ ମୁହଁ
ପୂର୍ବ ପ୍ରସ୍ତୁତ, ସମର୍ପଣ ଭାବ
ସବୁରି ଭିତରେ ପ୍ରସ୍ଫୁଟିତ ତାଙ୍କ ଜ୍ୟୋତି
ତାଙ୍କ ଶକ୍ତି ର ଭରପୁର ଝଲକ
ଶାରଦୀୟ ଶୋଭାର ଭଣ୍ଡାର ।।
ନଈପଠା କାଶତଣ୍ଡି
ଜହ୍ନିଫୁଲିଆ ଜହ୍ନ ରାତି
ନିର୍ମଳ ଜୋଛନା ର ଚନ୍ଦନ ଧାରା
ଶୀତୁଆ ପବନର ମନଛୁଆଁ ମୂର୍ଚ୍ଛନା
ଝରା ଶେଫାଳୀ ର ଠୋ ଠୋ ହସ
ସାଗର ବେଳାର ନିର୍ଜନତା
ମରୁଭୂମି ର ସୁଦୀର୍ଘ ବାଲୁକା ଶଯ୍ୟା
ସମସ୍ତେ ବିଭୋର,ଅଶ୍ରୁସିକ୍ତ ଓ ସ୍ବପ୍ନସିକ୍ତ
ସେ ଆଦ୍ୟାଶକ୍ତି ଙ୍କ ଆରଧନା ଓ ଆଶିଷର
ମହମହ ଅମୃତ ବାସ୍ନା ରେ
ପ୍ରତୀକ୍ଷା ଯାହା ଅନନ୍ତ କାଳର ।।
ଅଧ୍ୟାପକ ଶରତ କୁମାର ଦାସ
ରାଜନୀତି ବିଜ୍ଞାନ ବିଭାଗ,
ବଡବିଲ ମହାବିଦ୍ୟାଳୟ, ବଡବିଲ, ଜିଲ୍ଲା-କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.