
ମୋ ଗାଁ ପାଣି ପୀୟୂଷ ଅନିଳ ମଧୁର ମନ୍ଦ ମଳୟ
ମୋ ଗାଁ ଫୁଲ ସରଗ ରାଇଜ ପାରିଜାତ ଫୁଲ ପ୍ରାୟ ।।
ମୋ ଗାଁ ମନ୍ଦିର ବଇକୁଣ୍ଠ ପୁର ବିଷ୍ଣୁ ନିଳୟ ସମ
ବାଡି, ବଗିଚା ଏ କେଦାର ସବୁଜ ବାସବ ନନ୍ଦନ ବନ ।।
ବାପା,ଜେଜେ,କାକା,ଭାଇ,ବନ୍ଧୁ,ସାଥି,ସଙ୍ଗାତ ସଭିଏଁ ଯେତେ
ବ୍ରହ୍ମା, ବିଷ୍ଣୁ ,ମହେଶ୍ବର ଦେବଗଣ ପରାୟ ହିଁ ମୋତେ ଲାଗେ ।।
ଲକ୍ଷ୍ମୀ, ସରସ୍ବତୀ, ପାର୍ବତୀ ସମାନ ମା, ମାଉସୀ ଭଉଣୀ
ସ୍ନେହ, ପ୍ରେମ, ପ୍ରିତୀ ଶରଧା,ବଳୟ ତାଙ୍କର ପଣତ କାନି ।।
ପ୍ରତି ସେକାଳରେ ସୂରୁଜ ଦେବତା ସୁବର୍ଣ୍ଣ ପ୍ରଭା ପରସେ
ତା ମୟୂଖ ରାଶି ଆଲୋକ ଛୁଆଁ ରେ ମୋ ଗାଁ ସତେ ହସେ ।।
ତାରା ଫୁଟି ଉଠେ ସଞ୍ଜ ହୋଇଗଲେ ଜଳଇ ସଞ୍ଜ ସଳିତା
ଜହ୍ନ ରାଇଜରୁ ଶୀତଳ କୈ।ମୁଦୀ ଝରେ ସୁଷୀମ ମୁକୁତା ।।
ମରାଳ ମାଳିନୀ ନୀଳାମ୍ବୁ ଚିଲିକା ମୋ ଗାଁ ପଦକୁ ଚୁମ୍ବେ
ଉତ୍କଳ କମଳା ବିଳାସ ଦୀର୍ଘିକା କୋଳାହଳ କଳରବେ ।।
ମୋ ଗାଁ ପାହାଡ଼ ସତେ ନୀଳାଚଳ କହେ ଯୁଗ ଯୁଗ କଥା
ମୁଖ ସାକ୍ଷୀ ସେହି କାହିଁ କେଉଁ କାଳୁ ମଣ୍ଡିଛି ମୋ ଗାଁ ମଥା ।।
ମୋ ଗାଁ ମାଟି ଗଙ୍ଗା ମୁର୍ତ୍ତିକା ସମାନ ପବିତ୍ର ଅତି
ବିଷ୍ଣୁ ଶିଳା ସମ ଗୋଡ଼ି ପଥର ମୋ ଗାଁ ର ସେ ଗୋଡ଼ି ମାଟି ।।
ମୋ ଗାଁ ବୈକୁଣ୍ଠ ମୋ ଗାଁ କୈଳାସ ମୋ ଗାଁ ବ୍ରହ୍ମ ଭୂବନ
ଜନମି ତା କୋଳେ ପ୍ରଫୁଲ୍ଲ ଅଧମ ମଣଇଁ ଜୀବନ ଧନ୍ୟ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
