ଶରତର ଶୋଭା ଅଜାଡି ପଡୁଛି
ସବୁଜ ଧରିତ୍ରୀ କୋଳେ
ରୂପେଲୀ ରଜନୀ ହସେ କିରିକିରି
ଚାନ୍ଦ ର ଚନ୍ଦିନୀ ମେଳେ ।।
ପାର୍ବଣ ପଶରା ମହ ମହ ବାସେ
ଦେବୀ ଆସିଛନ୍ତି ମର୍ତ୍ତେ
ମୃଣ୍ମୟୀ ପ୍ରତିମା ଝଲମଲ ଦିଶେ
ଆବିର୍ଭୂତା ଜାତି ହିତେ ।।
ଚନ୍ଦନ ଚର୍ଚ୍ଚିତା ମାତା ଦଶଭୂଜା
ଅପରୂପା ଆଦ୍ୟାଶକ୍ତି
ଝଲମଲ ଜ୍ୟୋତି କମନୀୟ କାନ୍ତି
ବିକଶିତ ଦିବ୍ୟ କୀର୍ତ୍ତି ।।
ଜଗତ ଜନନୀ ମାତ କାତ୍ୟାୟନୀ
ବିରାଜିତା ଧରା ଧାମେ
ସିଂହବାହିନୀ ମା' ମହିଷମର୍ଦ୍ଦିନୀ
ଫୁଟାଇଛି ହସ ମର୍ମେ ।।
ମାଟିରୁ ଆକାଶ ବ୍ୟାପିଛି ଅନୀତି
ଅଧର୍ମୀମାନଙ୍କ ମେଳ
ଚଉଦିଗ ଯାହା ପାପର ସାମ୍ରାଜ୍ୟ
ରକ୍ତର ହୋଲି ଖେଳ ।।
ମାରିଲୁ ମହିଷା ଦେବ ରକ୍ଷାକଲୁ
ଅରଜିଲୁ ଯଶଖ୍ୟାତି
ଏବେବି ମହିଷା ବଂଚିଛି ହୃଦୟେ
କରୁଅଛି ଅପକୀର୍ତ୍ତି ।।
ଅଜାଡି ଦିଏ ମା ଆଶିଷର ଧାରା
ହୃଦୟ ହେଉ ତଲ୍ଲୀନ
ତୋ ମନ୍ତ୍ର ମହକ ସ୍ତୁତିର ସ୍ତବକ
ଚିରନ୍ତନ ଗରୀୟାନ ।।
ଅଗ୍ନି ସମ୍ଭୁତା ତୁହି ବେଦମାତା
ସକଳ ସୃଷ୍ଟି ଆଧାର
ତୁହି ମହାମାୟୀ ତୁହି ଯୋଗମାୟୀ
ପୂର୍ଣ୍ଣତା ର ଅବତାର ।।
ତୋର ନବରାତ୍ର ପୂଜା ଉପଚାର
ସୃଷ୍ଟିରେ ହେଉ ନିଆରା
ବିଜୟାଦଶମୀ ସଂକଳ୍ପ ଦିବସ
ହସୁଥାଉ ବସୁନ୍ଧରା ।।
ପଥହରା ମଁ ଯେ ଅନ୍ଧକାର ବାସୀ
ସ୍ବାର୍ଥ ର ଫାଶରେ ବନ୍ଦୀ
ପ୍ରାର୍ଥନା କରୁଛି ପିନ୍ଧେଇ ଦିଏ ମା'
ଆଶିଷ ର ପୂର୍ଣ୍ଣ ବିନ୍ଦି ।।
ଅଧର୍ମ ଉପରେ ଧର୍ମର ବିଜୟ
ହଂସା ଉପରେ ଅହିଂସା
ଏ ସଂସାର ପଥ ହେଉ ଦୀପ୍ତିମନ୍ତ
ଲିଭାଇ ଦିଏ ତମିସ୍ରା ।।
ହେ ଜଗମୋହିନୀ ଶକ୍ତି ସ୍ବରୂପିଣୀ
ଅବସ୍ଥାନ ହେଉ ମର୍ତ୍ତେ
ଯାଆନା ତୁ ଫେରି ତୋ ପୁଣ୍ୟ ଧାମକୁ
ଲୋତକ ଝରିବ ନେତ୍ରେ ।।
ଅଧ୍ୟାପକ ଶରତ କୁମାର ଦାସ
ରାଜନୀତି ବିଜ୍ଞାନ ବିଭାଗ,
ବଡବିଲ ମହାବିଦ୍ୟାଳୟ, ବଡବିଲ, ଜିଲ୍ଲା-କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.