ମୋପୁଅ କାନ୍ଦୁଛି ପୁରୀ ଯିବାପାଇଁ
ଦେଖିବାକୁ ଜଗନ୍ନାଥ
ଭାବରଠାକୁର ଭାବଡୋରେ ତା'ର
ଚୋରେଇ ନେଇଛ ଚିତ୍ତ ॥

ଶରଧା ବାଲିରେ ଭାରି ଶରଧାରେ
ଖେଳିବାକୁ ବାଲିଖେଳ
କେବେ ସେ ସକାଳ ଆସିବ ଭାବୁଛି
ଜପୁଛି ନନ୍ଦଦୁଲାଳ ।
ସେ ବାଲି ମୁଠାଏ ଦେହେ ବୋଳିହେଇ
ହେବ ସେ କୁନିଭକତ
ମୋପୁଅ କାନ୍ଦୁଛି ପୁରୀଯିବାପାଇଁ
ଦେଖିବାକୁ ଜଗନ୍ନାଥ ॥

ବାଇଶି ପାବଚ୍ଛ ସ୍ୱର୍ଗକୁ ନିଶୁଣି
ଚଢିଯିବ ଧିରେଧିରେ
ଦରଶନ ସାରି ଆହେ ଗିରିଧାରି
ଗଡିଯିବ ଆନନ୍ଦରେ ।
ପ୍ରାର୍ଥନା କରିବ ଗରୁଡ ପଛରେ
ଯୋଡି ତାର ବେନିହାତ
ମୋପୁଅ କାନ୍ଦୁଛି ପୁରୀ ଯିବାପାଇଁ
ଦେଖିବାକୁ ଜଗନ୍ନାଥ ॥

ଆନନ୍ଦବଜାରେ ଅଭଡାଡାଲିରୁ
ମୁଠାଏ ସେବନ କରି
ଭକତ ମେଳରେ ସଂଜସକାଳରେ
ନାଚୁଥିବ ଦାସୀ ପରି ।
ଅସାର ସଂସାରେ ଛାର ଜୀବନକୁ
କରିଦେବ ସେ କୃତାର୍ଥ
ମୋପୁଅ କାନ୍ଦୁଛି ପୁରୀଯିବାପାଇଁ
ଦେଖିବାକୁ ଜଗନ୍ନାଥ ॥

ମୁକତିମଣ୍ଡପେ ମୁକତି ମାଗିବ
ବାହୁତୋଳି ମହାବାହୁ
କୋଳେଇ ନେବହେ ଆପଣାର କରି
ପିଣ୍ଡେ ପ୍ରାଣ ଥାଉଥାଉ ।
ଦୀପଟିଏ ଜାଳି ଆହେ ବନମାଳି
ଗାଇବ ମୁକତି ଗୀତ
ମୋପୁଅ କାନ୍ଦୁଛି ପୁରୀଯିବାପାଇଁ
ଦେଖିବାକୁ ଜଗନ୍ନାଥ ॥

ଶରତ ଚନ୍ଦ୍ର ଜାଲି
ପଥରା, ଖଲ୍ଲିକୋଟ, ଗଂଜାମ