କୁହ ହେ ଜଗତକର୍ତ୍ତା - ବୀରେନ୍ କୁମାର ବେହେରା
ନାରୀ ପାଇଁ ଅଧା ରହିଲ କି ତୁମେ,
ନା ଏ ଥିଲା ବିଧି କଥା ?
ସଂସାରଟା ଯାହା ହାତରେ ନିର୍ମିତ,
ସେ କିପରି ହେଲା ଅଧା ?
ସଂସାର ସ୍ୱାର୍ଥରେ ନିଜର ଇଚ୍ଛା ରେ,
ଅଧା ପଛେ ହେଲେ ହୁଅ ।
ଭାଇ ଭଉଣୀଙ୍କୁ ଅଧା ଗଢିବା ଟା,
ଏହା କେଉଁ ନ୍ୟାୟ କୁହ ?
ଗୁଣ୍ଡିଚାଙ୍କୁ ତୁମେ କାହିଁ କଲ ଦୋଷୀ,
ସ୍ୱଇଚ୍ଛାରେ ରହି ଅଧା ?
ସେଥିପାଇଁ ଆଜି ନାରୀ ଜାତି ଦୋଷୀ,
ଭକ୍ତ ପାଇଁ ଏ କି ଶ୍ରଦ୍ଧା ?
ଭାଇଭଉଣୀଙ୍କୁ ଗୌର ବର୍ଣ୍ଣ ଦେଇ,
ନିଜେ କାହିଁ ହେଲ କଳା ?
ସେହି କଳାରେ ହିଁ ଲୁଚିଅଛି ସ୍ନେହ,
ଭକ୍ତ ପାଇଁ ପୁଳାପୁଳା ।।
ହାତ ନାହିଁ କିନ୍ତୁ ତୁମେ ମହାଦାନୀ,
ପଦ ନାହିଁ ସର୍ବ ବ୍ୟାପ୍ତ ।
ଏ ସଂସାର ପାଇଁ ତୁମେ ହିଁ ପ୍ରେରଣା,
ତେଣୁ ଚୋରି କର ଚିତ୍ତ ।।
ଖଣ୍ଡିଆ ହୋଇକି ଏକ ସ୍ଥାନେ ବସି,
ଚିନ୍ତା କର ସର୍ବ କଥା ।
ମୋ ଡାକ କି ତୁମ କର୍ଣ୍ଣେ ଶୁଭୁନାହିଁ ?
କୁହ ହେ ଜଗତକର୍ତ୍ତା ।।
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା