ଖର୍ବାକାର ଦିଶ ପ୍ରଭୁ ରଥାରୂଢ ହେଲେ
ଖଗା ଅଟୁ ଆମ୍ଭେମାନେ ବୁଦ୍ଧିଦିଅ ଭଲେ ।
ଖାଉଅଛ ତୁମ୍ଭେ ପ୍ରଭୁ ଛପନ ପଉଟି
ଖାଦ୍ୟଟିକେ ପାଇଁ କେତେ ଗୁହାରୀ କରନ୍ତି ।
ଖିଅ ତୁମର ପାଇବା ସାମର୍ଥ୍ୟ ବାହାରେ
ଖିଲିପାନ ଗ୍ରହଣରେ ନାମ ରଙ୍ଗାଧରେ ।

ଖୀର ଟିକେ ପାଏ ନାହିଁ କଁଅଳା ପିଲାଟି
ଖୀରଖିରିସା ତୁମର ନିତି ଖାଦ୍ୟେ ଅଛି ।
ଖୁଆଦଣ୍ଡ ପ୍ରଭୁ ତୁମେ ଭବ ସାଗରର
ଖୁଦ ସାମାନ୍ୟ ସଭିଙ୍କୁ ଜଗା ଦୟାକର ।
ଖୂର୍ପ ବେଶେ ସାଙ୍ଗେ ଧରି ଭାଇଭଉଣୀଙ୍କୁ
ଖୂର୍ପବେଶ ପାଇଁ ଯାଉ ରଥ ଯାତରାକୁ ।
ଖେଳୁଆଡ ରୂପେ ଶ୍ରେଷ୍ଠ ବ୍ରହ୍ମାଣ୍ଡଠାକୁର
ଖେଳନା କରି ଖେଳାଅ ଆମେ ସବୁ ଛାର ।
ଖୈରଚୁର ଖାଅ ନିତି ନାନା ପ୍ରକାରର
ଖୈରିଅତ କର ଆମ୍ଭେ ନଭାବିକି ପର ।
ଖୋଜାପଡେ ତୁମ୍ଭେ ପ୍ରଭୁ ବିପଦ ପଡିଲେ
ଖୋରାକ ପାଇଁ ବହୁତ ଡାକନ୍ତି ବିକଳେ ।

(ଟୀକା= ଖର୍ବାକାର-ବାମନ, ଖଗା-ନିର୍ବୁଦ୍ଧିଆ, ଖୂର୍ପ-ବାମନ, ଖୈରଚୁର-ମିଷ୍ଟାନ୍ନ, ଖୈରିୟତ-ମଙ୍ଗ, ଖୋରାକ-ଖାଦ୍ୟ)

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ୱର
ଦୂରଭାଷ : ୯୪୩୭୦୮୧୩୩୩