
ବଂଶୀ ବାଜିଲେ ମୁହିଁ ସାଜେ ବ୍ରଜାଙ୍ଗନା
ନାଚି ନାଚି ଭୁଲିଯାଏ ଠିକଣା ଆପଣା...(୦)
ଏ ମନରେ ଥରେ ରାଧା ଭାବ ବହି
କୃଷ୍ଣ ପ୍ରେମେ ଭିଜିଯାଏ,
ଯେତେବେଳ ଯାଏ ବଂଶୀ ବାଜୁଥାଏ
ଶ୍ରୀ ଗୀତ ଗୋବିନ୍ଦ ଗାଏ
ସରାଗରେ ନାଚୁଥାଏ ହୋଇ ଆନମନା..(୧)
ମୋ ପାଦ ନୂପୁର ଛିଡ଼ିଯାଉ ପଛେ
ତିଳେ ପରବାୟ ନାହିଁ
ଝରୁ ମୋ ରୁଧିର ହୋଇ ଧାର ଧାର
ତଥାପି ନାଚିବି ମୁହିଁ
ଯେତେ ଯାହା ହେଉ ପଛେ ପ୍ରଭାବ ପଡ଼େନା..(୨)
ରାଜେଶ ପୂଜାରୀ, କୁଶମେଲ
