ତୁମେ ସିନା ଗୋଟିଏ ମହିଷାସୁରକୁ ମାରି
ପ୍ରତିଷ୍ଠା କରିଥିଲ ଶାନ୍ତିର ମହଲ
ହେଲେ ଆଜି ମାଳମାଳ ମହିଷାସୁରଙ୍କ ଗୋଳମାଳ
ସ୍ତବ୍ଧ କରୁଛି ସମାଜକୁ
ଭୟର ଭୁତକୋଠିରେ ॥
ଥିଲା ତୁମର ଦୈବୀଶକ୍ତି
ମାୟା ମୋହିନୀ ରୂପ
କବଳିତ କଲ କଳେ ବଳେ କୌଶଳେ
ପାଇଥିଲ ସଭିଙ୍କ କରୁଣା,ଜିଗୀସା ଓ ଆଶ୍ୱାସନା
ସଞ୍ଚି ଖଞ୍ଜିଥିଲ ଅମାପ ଆଶା ଭରସା ଓ ବିଶ୍ୱାସ
ମାତ୍ର ଆଜି ନା ପୁରୁଷ ପାଖରେ ଅଛି ପୌରୁଷତ୍ୱ
ନା ନାରୀପାଖରେ ମହାଶକ୍ତି
ମହିଷାସୁରକୁ ପ୍ରୋତ୍ସାହନ ଦେଉଛନ୍ତି
ଏବେର ସହସ୍ର ଉପ ମହିଷାସୁର
ନାରୀ ହେଉଛି ଶୋଷିତା,ଧର୍ଷିତା ଅବା ମୃତା
ସାଧୁ ସାଜିଛି ନୀରବ ଦ୍ରଷ୍ଟା
ରହି ନିଦାଘ କୋମାରେ...
ଲଜ୍ଜା ଲାଗୁଛି ଏ ଲୋମହର୍ଷଣ ଗାଥା ବର୍ଣ୍ଣିବାକୁ... ନିର୍ଲ୍ଲଜ ଜିହ୍ୱାରେ ॥
ଥିଲା ତୁମର ଦୟାଳୁ ହୃଦୟ
ମାନବିକତାର ଅନ୍ତଃସ୍ୱର
ଚାହିଁଥିଲ ସଞ୍ଚିବାକୁ କରୁଣା .ଫୁଟାଇବାକୁ ମୃଦ୍ୟୁହସ
ଦେବାକୁ ମାତୃତ୍ୱର ନିଦର୍ଶନ..ରଚିବାକୁ ମମତାର ଇତିହାସ
ମାତ୍ର ଆଜିର ମଣିଷ କିଣୁଛି ହିଂସା,କପଟତାର ସଉଦା-
କୃତଘ୍ନତାର ଜାଲ୍ ନୋଟ୍ ରେ
ଗଢୁଛି ତୁମ ଛଳ ପ୍ରତିମା..ସାଜିବାକୁ ଭଣ୍ଡ କୁବେର
ସନ୍ଥ ଡାକୁଛି ତ୍ରାହି ତ୍ରାହି..
କୃତ୍ରିମ ମୁଖା ପିନ୍ଧା ଧାରାବାହିକର ନକଲି ପୁରୋହିତ ଭୟରେ
ଝିଅ,ଭଉଣୀ,ପତ୍ନୀ,ମା'ମାନେ କାନ୍ଦୁଛନ୍ତି..ପ୍ରତିକ୍ଷଣେ ଦେଖି ଦୁଃସ୍ୱପ୍ନ
ଅତ୍ୟାଧୁନିକ  ଆତତାୟୀ  ମହିଷ ଭୟରେ॥
 ଆଉଥରେ ବୀରଦର୍ପେ ଆସ ମୋ ମା' ଏ ଧରାଧାମେ..
କରିବାକୁ ଅନ୍ୟାୟ-ଅତ୍ୟାଚାରର କୁଶ ପୁତଳିକା ଦାହ,
ଭେଦିବାକୁ ପାପିଷ୍ଟର ଚକ୍ରବ୍ୟୁହ
ଏ ଶୁଭବେଳାରେ...  ॥

ନାରାୟଣ ସେନାପତି, ଶିକ୍ଷକ
ସରକାରୀ ଉ.ପ୍ରା.ବିଦ୍ୟାଳୟ, ଡିମିରିଆ, ତେଇକୋଇ,
କେନ୍ଦୁଝର, ପିନ୍-୭୫୮୦୧୯