ଜୟ ଜୟ ଜୟ ଜୟ ଜଗନ୍ନାଥ ଜୟ ନୀଳାଦ୍ରି ବିହାରୀ,
ନୀଳାଚଳେ ତୁମେ ବିଜେକରିଅଛ ଭାଇଭଉଣୀ ଙ୍କୁ ଧରି।
ପତିତ ପାବନ ଉଡାଉଛ ବାନା ପତିତ ଉଦ୍ଧାର ପାଇଁ,
ଆହେ ପରଂବ୍ରହ୍ମ ଘେନ ମୋ ଜୁହାର ଜୀବନ ଟା ଯାଉ ଚାହିଁ।
ବଳରାମ ଦାସ ଡାକିଥିଲେ ଦିନେ ବିଜେହେଲ ବାଲିରଥେ,
ଭୁଲିଯାଇ ପ୍ରଭୁ ପାଶୋରି କି ଦେଲେ ଝୁରିହୋଇଥିଲେ ରାଧେ।
ବିପଦକାଳରେ ଡାକିଲେ ତୁମକୁ ସାହା ହେବହେ ଗୋସାଇଁ,
ନଟନଟବର ଯଦୁପୁରନାଥ ରାହା ମୋର କେହି ନାହିଁ।
ପ୍ରଭୁ କୃପାନିଧି କରୁଣା ବାରିଧୀ ଦୟାମୟ ତୁମେ ହରି,
ଅହଲ୍ୟାକୁ ତୁମେ ଉଦ୍ଧାରିଲ ସ୍ବାମୀ ମୋ ଦୁଽଖ ଗଲ ପାଶୋରି।
ଭାବର ଆବେଗେ ଡାକିଥିଲା କୃଷ୍ଣା ସେହି କୁରୁସଭା ସ୍ଥଳେ,
କୋଟିବତ୍ସ୍ରଦେଇ ଲଜ୍ଜା ନିବାରଣ କଲ ପ୍ରଭୁ ତତକାଳେ।
ମୋ ଦୁଽଖକୁ କାହିଁ ଦୟାନହୋଇଲା ତୁମନାମ ଦୟାମୟ,
ଏ ଜଞ୍ଜାଳେ ମୁହିଁ ଧନ୍ଦିହେଉଅଛି ଜୀବନଟା ଲାଗେ ଭୟ।
ମୋ ଜୀବନ ପ୍ରଭୁ ଅଟେ ତୁମ ଦାନ କେବେ ହେବ ମୋ ମରଣ,
ଏତିକି ଗୁହାରୀ କରୁଛି ଚରଣେ ଅଭିଶପ୍ତ ମୋ ଜନମ।
ଜୀବନ ନଉକା ବାହିପାରୁନାହିଁ କରିଦିଅ ମୋତେ ଅନ୍ଧ,
ସୁଖସଂପଦକୁ ଖୋଜୁଛି ମୁଁ ସଦା ଉଦ୍ଦେଶ୍ୟ ଅଟଇ ମନ୍ଦ।
ଦାସିଆ ବାଉରୀ ଡାକିଲା ତୁମକୁ ନେଇଥିଲ ତା ନଡ଼ିଆ,
ବିପଦ କାଳରେ ପଡିଗଲା ହସ୍ତୀ ସାହା ହେଲହେ କାଳିଆ।
ଖାଇବାକୁ କଣ ଦେବ ଦେବ ବୋଲି ଶବରୀ ହୋଇଲା ବ୍ୟସ୍ତ,
ଅଇଁଠା କୋଳିକୁ ଯାଚିଲା ହେ ପ୍ରଭୁ ବଢ଼ାଇଥିଲ ଯେ ହସ୍ତ।
ସାତଶ ଯୋଜନୁ ଡାକଦେଲା ଭକ୍ତ ରଖିଥିଲ ତୁମେ ରଥ,
ଧନ୍ୟ ସାଲବେଗ ଧନ୍ୟ ତାର ଡାକ ତୁମେତ ଜଗତନାଥ।
ନୀଳାଦ୍ରି ପର୍ବତେ ବିଜେ ହୋଇଅଛ ନାମ ଅଟେ ଶଂଖକ୍ଷେତ୍ର,
ଗୁଣ୍ଡିଚା ରାଣୀର ଗୁହାରୀ ଶୁଣିଲ ଆହାକି ସତେ ପବିତ୍ର।
ପୃଥିବୀ ଯାକର ସମସ୍ତକଳାକୁ ବୋଳିହେଇଅଛ ଦେହେ,
ଏତିକି କରୁଣା କରିବେ ଠାକୁରେ ସଦା ତୁମକଥା କହେ।
ମାନସ ରଞ୍ଜନ ପଟ୍ଟନାୟକ,
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ
ଶ୍ରୀ ଜଗନ୍ନାଥ ବିଂଶତ୍ତୋରୀ ଜଣାଣ - ମାନସ ରଞ୍ଜନ ପଟ୍ଟନାୟକ
September 02, 2018
0
