ଓଁ ଶ୍ରୀ ଗଣେଶାୟ ନମଃ - କାର୍ତ୍ତିକେଶ୍ଵର ସାହୁ

0
ଆହେ ଅଗ୍ରପୂଜ୍ୟ ଗଉରୀ ନନ୍ଦନ
ବକ୍ରତୁଣ୍ଡ ଗଜାନନ,
ବିଘ୍ନ ବିନାଶକ ସିଦ୍ଧି ପ୍ରଦାୟକ
ତୁମ ପଦେ ନମ ନମ।
ବିଦ୍ୟାର ଭଣ୍ଡାର ପ୍ରଭୁ ଲମ୍ବୋଦର
ଲଡୁ ପ୍ରିୟ ଭାବଗ୍ରାହୀ,
ବିଶ୍ୱ ବ୍ରହ୍ମାଣ୍ଡକୁ କ୍ଷଣିକେ ଘୁରିଲ
ମୂଷିକ ବାହାନ ନେଇ।
ଗଣନାଥ ତୁମେ ମହା ବିନାୟକ
ଏକଦନ୍ତ ତୁମେ ହରି,
ତୁମ ନାମ ଭଜି ଦିବ୍ୟଜ୍ଞାନ ଲଭି
ଉଦ୍ଧରନ୍ତି ନରନାରୀ।
ଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ
ପୁଣ୍ୟର ମାହେନ୍ଦ୍ର ବେଳେ,
ଓହ୍ଲାଇ ଆସିଛ ମରତ ଭୂଇଁରେ
ଆନନ୍ଦର କୋଳାହଳେ।
ଅଜ୍ଞାନ ଅନ୍ଧାରେ ଅନ୍ଧ ଏ ସମାଜ
ପଥଭ୍ରଷ୍ଟ ହୁଏ ନିତି,
ଜ୍ଞାନର ଆଲୋକେ ଆଲୋକିତ କର
ଉଦ୍ଧର ଏ ସାରା ପୃଥୀ।
ତୁମ ଆଗମନେ ପୁରି ଉଠୁ ଧାମେ
ଶାନ୍ତି, ଦୟା, କ୍ଷମା, ଧର୍ମ,
ହିଂସା, ଦ୍ୱଷ,ଘୃଣା ହରି ନିଅ ସବୁ
ହୃଦେ ଭରି ସ୍ନେହ, ପ୍ରେମ।
ଜାଣିନାହୁଁ ଆମେ ପୂଜାବିଧି ତୁମ
ଜାଣିନାହୁଁ ମନ୍ତ୍ର ଶ୍ଳୋକ,
ହୃଦେ ଭକ୍ତିଭରି କରୁଛୁ ଗୁହାରୀ
ଘେନ ବାରେ ଆମ ଡାକ।


କାର୍ତ୍ତିକେଶ୍ୱର ସାହୁ
ଚଣ୍ଡିଆପଲା, ଖୋର୍ଦ୍ଧା, ମୋ-୯୯୩୮୮୩୪୨୪୦

Post a Comment

0Comments
Post a Comment (0)