ଚିତାଭସ୍ମ ବିଭୁଷିତ ହୋଇ ଖୋଜେ
ଖୋଜି ଚାଲିଥାଏ କେନ୍ଦ୍ରବିନ୍ଦୁ
ନିତ୍ୟ ଅନିତ୍ୟ ବ୍ୟବଧାନ ର
ନରମେଧ ଯଜ୍ଞରେ ସ୍ବେଦାକ୍ତ କଳେବର
ରେ ଦେଇଚାଲେ ଆହୁତି ପରେ ଆହୁତି।
ଚରମ ବୈରାଗ୍ୟ ଲାଗି ତତ୍ପର
ମୋହମାୟା ଉର୍ଦ୍ଧ୍ବରେ ସତତ
ଅବିଶ୍ରାନ୍ତ ଭାବରେ ବ୍ୟସ୍ତ ନିଜେ
ଘୋର ଯନ୍ତ୍ରଣା ରୁ ମୁକ୍ତ ଲାଗି
ହୋଇ ସେ ଅଘୋର।
ଝଲକାଏ ପବନରେ ଚିହିଁକୁ ଥିବା
ଝୁଲ ଆଉ ଉଡି ଆସୁଥିବା ଭସ୍ମ
ସହ ପ୍ରେମିକା ଶ୍ମଶାନ ସହ ରଚେ
ମହା ଶୃଙ୍ଗାର ବ୍ୟାପ୍ତ କରେ ନିଜକୁ
ଭିନ୍ନ ଏକ ମୈଥୁନ ରେ ଅଥବା
ବିସ୍ତାର କରି ସମଗ୍ର ବିଶ୍ବକୁ
ନିଜ ଉପାସ୍ୟ ସହ ଏକୀଭୁତ କରିବାରେ।
ଭୂକ୍ଷେପ ନଥାଏ କାହା କଟାକ୍ଷ
ସାମାଜିକ ଶୃଙ୍ଖଳାର ବାଧା କି ବନ୍ଦନ
ନୀରବରେ କରିଚାଲେ ଶବ ସହ
ଶବ ହୋଇ ଅହଂତ୍ବ ର ଆହୁତି ରେ
ଚରମ ନିର୍ବିକଳ୍ପ ଲାଗି ମହାକାଳ
ସ୍ରୋତରେ ଲେଖିଦିଏ ଅଘୋରୀ
ସାଧନା ର ଏକ ପ୍ରେମ କବିତା ।
ସରୋଜିନୀ ଦାଶ (ମହାପାତ୍ର), ଲିଙ୍ଗିପୁର, ଶିଶୁପାଳଗଡ଼
ଅଘୋରୀ-ଏକ ଭିନ୍ନ ପ୍ରେମ କବିତା - ସରୋଜିନୀ ଦାଶ ମହାପାତ୍ର
August 18, 2018
0
