ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା - ଦେବବ୍ରତ ଜେନା

0
ଭାରତ ପ୍ରଦେଶେ ମୋ ଛୋଟ ରାଇଜ
ନାମଟି ତାର ଓଡିଶା
କଳା ସ୍ଥାପତ୍ୟ ଓ ବିଭବରେ ଭରା
ସଂସ୍କୃତିର ପରିଭାଷା ।।
ଓଡ଼ିଆ ସଂସ୍କୃତି ଓଡ଼ିଆର କୃତୀ
ଜଗା ବିନା ଲାଗେ ଅଧା
ଓଡ଼ିଆଙ୍କ ମନ ଓଡ଼ିଆଙ୍କ ପ୍ରାଣ
ତାହାରି ପ୍ରେମରେ ବନ୍ଧା ।।
ବାର ମାସେ ଏଠି ଲାଗେ ତେର ଯାତ
ସଂସ୍କୃତିକୁ ମାନି ଚଳୁ
ଜଗତ ସାଆନ୍ତେ କାଳିଆକୁ ଆମ୍ଭେ
ଘରର କୁଣିଆ ବୋଲୁ ।।
ଓଡ଼ିଆମାନଙ୍କ ବଡ଼ ପର୍ବ ସେ ତ
ରଥଯାତ୍ରା ଅଟେ ନାମ
ସେ ପର୍ବ ଶୁଣିଲେ ସବୁ ଓଡ଼ିଆଙ୍କ
ମନ ଧାଏଁ ପୁରୀ ଧାମ ।।
ଆଷାଢ଼ର ଶୁକ୍ଳ ଦ୍ଵିତୀୟା ତିଥିରେ
ପଡେ଼ ଏହି ମହାପର୍ବ
ଭାଇଚାରା ଆଉ ସମ୍ପର୍କରେ ସର୍ବେ
ଅନୁଭବନ୍ତି ଯେ ଗର୍ବ ।।
ବଡ଼ ଦେଉଳରୁ ତିନି ଠାକୁର ଯେ
ଗୁଣ୍ଡିଚା ବିଜେ କରନ୍ତି
ତିନି ଦିଅଁ ତିନି ରଥରେ ବସିଣ
ମନଲୋଭା ଦିଶୁଥାନ୍ତି ।।
ନନ୍ଦିଘୋଷ ରଥେ କାଳିଆ ଠାକୁର
ବଳଭଦ୍ର ତାଳଧ୍ଵଜେ
ଭଉଣୀ ସୁଭଦ୍ରା ଦେବଦଳନରେ
ସଜ୍ଜିତ ହୁଅନ୍ତି ବିଜେ ।।
ଅଷ୍ଟମ ଦିବସେ ମାଉସୀଙ୍କ ଘରୁ
ବିଦାୟ ପରବ ଘେନି
ବରଷକ ପାଈଁ ଲୀଳା ଖେଳା ସାରି
ଦିଅନ୍ତି ଯେ ଲେଉଟାଣି ।।
ଗାଁ ଗଣ୍ଡା ଠାରୁ ସହର ନଗର
ଚାରିଆଡେ ଲାଗେ ଯାତ
ସର୍ବେ ମଜିଯାଇ ଏକାକାର ହୋଇ
କାଳିଆ ପାଈଁକି ବ୍ୟସ୍ତ ।।
ଯୁଗ ଯୁଗ ଧରି ଭିନ୍ନ ଏ ପରବ
ସଂସ୍କୃତିର ମୂକସାକ୍ଷୀ
ଓଡ଼ିଆ ହୃଦୟେ ଆସ୍ଥାନ କାଳିଆ
ରହିଛନ୍ତି ସଦା ଲାଖି ।।

Post a Comment

0Comments
Post a Comment (0)