ତୁ ମୋ ରଙ୍କ ରତନ ରେ
ତୁ ମୋ ହୃଦ ସ୍ପନ୍ଦନ ।।
କୋଳ ମୋର ପୂର୍ଣ୍ଣ କରି ତୁ ଆସିଛୁ
ବକ୍ଷ ରେ ପୀୟୂଷ ଧାର ତୁ ଆଣିଛୁ
ତୁ ମୋ ନେତ୍ର ବନ୍ଧନ ରେ
ତୁ ମୋ ହୃଦ ସ୍ପନ୍ଦନ ।।
ନାନା ଅଝଟ କୁ ମୁଁ ମନେଇ ଦେବି
ଅଳି ଅରଦଳି ସବୁ ମୁଁ ସହିବି
ନ ଦେବି ସଂସାର ତାଡନ ରେ
ତୁ ମୋ କୁଳ ନନ୍ଦନ ।।
ମୋ କୋଳ ଯେ ତୋର ଅଟଇ ତ ଦୋଳା
କରୁଛୁ କରିବୁ କେତେ ପରା ଖେଳା
ନ ଲାଗିବ କାହା ନଜର ରେ
ତୁ ମୋ ଚନ୍ଦନ ଧାର ।।
ଜହ୍ନ ମାମୁଁ ଗପ ଶୁଣି ଖାଇଦେବୁ
ନାନା ବାୟା ଗୀତଶୁଣି ଶୋଇ ପଡ଼ିବୁ
କଅଁଳ ଦେହକୁ ରଖି ମୋ କୋଳ ରେ
ତୁ ମୋ ଫୁଆରା ଝର ।।
କୁଳ ଉଜ୍ଜ୍ୱଳ କରି ଆସିଛୁ ତୁହି
କୁଳ ଚନ୍ଦ୍ର ରେ, ମୋ ନାଁ ରଖିବା ପାଇଁ
ତୁ ମୋ ଗୁଣ ନିଧି ସରଗ ତାରା ରେ
ତୁ ମୋ ଆଖି ଆଇନା ।।
ବଡ ହୋଇ ତୁ ଦିନେ ମଣିଷ ହେବୁ
ଯୁଗ ଯୁଗ ପାଇଁ ନାଁ ଯଶ ରଖିବୁ
ମନେ ରଖିବ ଏ ମାଟି ମାଆ ରେ
ତୁ ମୋ କାତ ଓ ନାଆ ।।
ରଖିବୁ ଧନ ମା'ର କୋଳ ର ମାନ
ମାନବିକତାକୁ କରିଥିବୁ ମାଳ
ଧରମେ ରଖିବୁ ମନ ରେ
ତୁ ମୋ ହୃଦ ସ୍ପନ୍ଦନ ।।
ସିପ୍ରା ନାମତା (ନମ୍ରତା) ବାରିପଦା
ମାଆ ର କୋଳ - ସିପ୍ରା ନାମତା (ନମ୍ରତା)
August 06, 2018
0
