ତୁମ ରଥଯାତ୍ରାରେ ମୋ ଶେଷଯାତ୍ରା - ରୋଜା ପଣ୍ଡା

0
ତୁମେ ରଥେ ଯାଅ ଝୁଲି ପହଣ୍ଡି କରି
ମତେ ବୋହୁଛନ୍ତି ଚାରି କାନ୍ଧରେ ଧରି.
ତୁମ ଆଗେ ଧୂପ ଦୀପ
ମୋ ଆଗେ ବି ଧୂପ ଦୀପ
ତୁମେ ଯାଉଅଛ ପୁଣି ଫେରିବା ପାଇଁ
ମୁଁ ଯାଉଛି ଏକ ଅଫେରା ବାଟୋଇ ହୋଇ .
ତୁମେ ସଜ୍ଜିତ ଫୁଲ ମାଳେ
ମୋ ଦେହେ ବି ଫୁଲ ମାଳ
ତୁମେ ହସୁଅଛ ଭକ୍ତ ବାହୁରେ ଝୁଲି
ମୋ ଦେହେ ବନ୍ଧା ହୋଇଛି ପାଳ ଦଉଡି
ତୁମେ ପୋଡପିଠା ଖାଉଥିବ ମାଉସୀ ମା କୋଳରେ
ଖଇ କଉଡ଼ି ବିଂଛୁଥିବେ ମୋ କୋକେଇ ଆଗରେ .
ନନ୍ଦିଘୋଷ ଆଗେ ତୁମ ଶଙ୍ଖ ବାଜୁଥିବ
ଏପଟେ ସ୍ୱର୍ଗଦ୍ୱାରେ ମୋ ଶବ ମାଟିରେ ମିଶିବ .
ରତ୍ନସିଂହାସନେ ତମେ ମୁରୁକି ହସିବ
ଜୁଇ ର ଖଟରେ ମୋର ଦେହ ଜଳିଯିବ.
ଶେଷ ଇଛା ମୋର ପ୍ରଭୁ ପୂରଣ କରିବ
ଆତ୍ମା କୁ ମୋ ନେଇ ବୈକୁଣ୍ଠ ରେ ରଖିବ.
ଦେହ ସିନା ଜଳିଯିବ ଆତ୍ମା ତ ଚିର ଅମର
ଭଜୁଥିବ ନୀତି ସିଏ ସତ୍ୟ ଶିବ ସୁନ୍ଦର ॥


ପୂର୍ଣ୍ଣାନନ୍ଦ ଭବନ, ନେତାଜୀ ନଗର, ମଧୁପାଟଣା, କଟକ- ୭୫୩୦୧୦

Post a Comment

0Comments
Post a Comment (0)