
କେଉଁ ନାମେ ପ୍ରଭୁ ଭଜିବି ତୁମ୍ଭଙ୍କୁ
ସହସ୍ର ନାମ ତୁମ୍ଭରି
କେଉଁ ମନ୍ତ୍ରକୁ ମୁଁ ଜପିବି ହେ ପ୍ରଭୁ
ଅନେକ ମନ୍ତ୍ର ତୁମ୍ଭରି ॥୧॥
କେଉଁ ରୂପ ତୁମ୍ଭ ସ୍ମରଣ କରିବି
ରୂପ ତୁମ୍ଭ ଅକଳନ
କେଉଁଠାରେ ପ୍ରଭୁ ପାଇବି ତୁମ୍ଭଙ୍କୁ
ନିବାସ ସକଳ ସ୍ଥାନ ॥୨॥
ଯାହା ମୁଁ ଦେଖୁଛି ସକଳ ତୁମ୍ଭରି
ନୈବେଦ୍ୟ କଣ ବା ଦେବି
ଭକ୍ତି ନୈବେଦ୍ୟକୁ ତୁମ୍ଭ ଶ୍ରୀଚରଣେ
କେବଳ ଦେଇ ପାରିବି ॥୩॥
ଦକ୍ଷିଣା ଦେବାକୁ ମୋ ପାଖରେ ଥିବା
ଦରବ ସବୁ ତୁମ୍ଭରି
ମୋହର ମନକୁ ଦକ୍ଷିଣା ରୂପରେ
ନିଅ ହେ ପ୍ରଭୁ ଆଦରି ॥୪॥
ମୋ ଷଡ ବିକାର ତୁମ୍ଭ ପାଶେ ପ୍ରଭୁ
ଜାଳୁଛି ଧୂପ ସଦୃଶ
ସେ ସବୁକୁ ପ୍ରଭୁ ଧ୍ଵଂସ କରିଦିଅ
ସେତିକି ଚାହେଁ ଆଶିଷ ॥୫॥
