ସମର୍ପଣ - ପ୍ରଭାତ କୁମାର ନାୟକ

0
ଅଗାଧ ଭବ ସାଗରେ ନାବ ଭାସଇ
ସହଜେ କି ପାରି ହେବୁ ଭାବୁଛୁ ତୁହି..
ଅଗାଧ ଭବ ..(୦)

ପାଗଳ ପ୍ରାୟ ଭାସନ୍ତି ପଚିଶ ମୀନ
ପ୍ରଖର ବେଗ ତାଙ୍କର ସଦା ଉଚ୍ଛନ୍ନ,
ପଞ୍ଚ ଜଳ ପରୀ ଅତି ସୈାନ୍ଦର୍ଯ୍ୟମୟୀ
ରୂପେ ତାଙ୍କ ମନ ରାଜା ହେଉଛି ବାଇ...
ଅଗାଧ ଭବ ...(୧)

ବୟସର ନୀଳ କୁମ୍ଭୀ ଘୁମେଇ ଯାଇ
ଚତୁର ପଣରେ ଘାଟ ଜଗଇ ସେହି,
ପଦେ ପଦେ କାଳ ସର୍ପ ଫେଣା ଖେଳାଇ
ଦଂଶନର ଆଶା ନେଇ ପଥ ଜଗଇ ..
ଅଗାଧ ଭବ ...(୨)

ମାୟାବତୀ ବାୟୁ ଆହା ବହଇ ଧୀରେ
ଆଚ୍ଛନ୍ନ ପଥିକ ସେଠି ପଥଟି ହୁଡେ,
କାମନା ବାସନା ମଧ୍ଯେ ଅନ୍ଧ ହୁଅଇ
ଆତ୍ମା ପରମାତ୍ମା ଠାରୁ ବିଚ୍ଛେଦ ହୋଇ.
ଅଗାଧ ଭବ.. .(୩)

ସମୟ କାଳ ଭଉଁରୀ ଚିର ଅଶାନ୍ତ
ପ୍ରଳୟର ମହାବାତ୍ୟା କରଇ ଭ୍ରାନ୍ତ,
କୂଳ ଲଙ୍ଘି ବିପଦ ଯେ ମାଡି ଆସଇ
ଦୁଃଖ ଦୈନ୍ୟ ରୋଗ ଶୋକ ସଙ୍ଗତେ ନେଇ..
ଅଗାଧ ଭବ ..(୪)

ସେ ନାବରେ ନାବିକଟି ଭାରି ଚତୁର
ଭାବକୁ ନିକଟ ପୁଣି ଅଭାବେ ଦୂର,
ଆଖି ଖୋଲି ମୂଢ ମନ ଚାହଁରେ ତୁହି
ନାବିକ ଯେ ହାତ ଠାରି ତୋତେ ଡାକଇ
ଅଗାଧ ଭବ ...(୫)

ବସାଇଣ ହାତ ଧରି ନାବରେ ତାର
ମୋକ୍ଷ ତୀରେ ଲଗାଇବ ସେ ମଙ୍ଗଧର ,
ତନୁ ମନ ପ୍ରାଣ ତାଙ୍କୁ ଅରପି ଦେଇ
ଅଜପା ନାମରେ ମନ ମଜ୍ଜରେ ତୁହି..
ଅଗାଧ ଭବ ...(୬)

ଲବଣ ଅଶାନ୍ତ ବାରି ହେବ ଅମୃତ
ଅନ୍ଧାରେ ଅାଲୋକ ରେଖା ତୋପାଇଁ ସେତ,
ତାଙ୍କ ପାଦ ପଦ୍ମେ ଲୟ ରଖରେ ତୁହି
ଜୀବନର ଶେଷ ସାଥି ଏକାରେ ସେହି...
ଅଗାଧ ଭବ .....(୭)


ପ୍ରଭାତ କୁମାର ନାୟକ
ମଧୁପୁର, ଭଦ୍ରକ, ଓଡିଶା

Post a Comment

0Comments
Post a Comment (0)